
ଝାରସୁଗୁଡ଼ା, ୧୩ ମାର୍ଚ୍ଚ (ହି.ସ.) - ଜିଲ୍ଲାରେ ରନ୍ଧନ ଗ୍ୟାସ୍ , ପେଟ୍ରୋଲ ଏବଂ ଡିଜେଲର ଉପଲବ୍ଧତା ଏବଂ ଯୋଗାଣ ସ୍ଥିତିକୁ ନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଆଲୋଚନା ପରେ, ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ଓ ତୈଳ କମ୍ପାନୀର ପ୍ରତିନିଧିମାନଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଥିଲେ।
ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଝାରସୁଗୁଡ଼ା ଜିଲ୍ଲାରେ ରନ୍ଧନ ଗ୍ୟାସ୍ କିମ୍ବା ଇନ୍ଧନର କୌଣସି ଅଭାବ ନାହିଁ। କେବଳ ଲୋକଙ୍କ ମନରେ ଥିବା ଆଶଙ୍କା ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଗ୍ୟାସ୍ ସିଲିଣ୍ଡର ଓ ପେଟ୍ରୋଲର କଳାବଜାରୀ ଉପରେ କଡ଼ା ନଜର ରଖିବାକୁ ପୋଲିସ ଏବଂ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ୟାସ ସିଲିଣ୍ଡରର ମାତ୍ରାଧିକ କ୍ରୟକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି।
ଜିଲ୍ଲାରେ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ଘରୋଇ ଗ୍ରାହକ, ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ, ଆଶ୍ରମ ସ୍କୁଲ, ହସ୍ପିଟାଲ, ଆହାର କେନ୍ଦ୍ର ଏବଂ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ରନ୍ଧନ ଗ୍ୟାସ୍ ଓ ଇନ୍ଧନର ସୁଗମ ଯୋଗାଣ ନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ସତର୍କ ରହିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିବା ପାଇଁ ହେଉଥିବା ବେଆଇନ ମହଜୁଦ ଏବଂ କଳାବଜାରୀକୁ ରୋକିବା ପାଇଁ ନିୟମିତ ଚଢ଼ାଉ କରିବାକୁ ସେ କହିଛନ୍ତି।
ଏଥିସହ, ଇନ୍ଧନ ସ୍ଥିତିକୁ ନେଇ କୌଣସି ପ୍ରକାରର ମିଥ୍ୟା ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡ଼ା ନଜର ରଖିବାକୁ ଏବଂ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ତାହା ନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ଅଧିକାରୀଙ୍କୁ ହାଇ-ଆଲର୍ଟରେ ରଖାଯାଇଛି।
ଏହି ଅଭାସୀ ବୈଠକରେ ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ଓ ସାଧାରଣ), ଉପ-ଜିଲ୍ଲାପାଳ, ସିଡିଏମଓ, ସମସ୍ତ ବିଡିଓ, କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ବିଭନ୍ନ ତୈଳ କମ୍ପାନୀର ପ୍ରତିନିଧି ଏବଂ ପେଟ୍ରୋଲ ପମ୍ପ ମାଲିକ ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ