
ରାଇରଙ୍ଗପୁର, ୧୩ ମାର୍ଚ୍ଚ (ହି.ସ.)- ଭାରତୀୟ ମଜଦୁର ସଂଘର ମୟୂରଭଞ୍ଜ ଜିଲ୍ଲାର କାର୍ଯ୍ଯକାରୀ ସଭାପତି ତଥା ବରିଷ୍ଠ ଶ୍ରମିକ ନେତା କରୁଣାକର ଦାସଙ୍କର ଗତ ମାର୍ଚ୍ଚ ୧୧ ତାରିଖରେ ନିଜ ଗ୍ରାମ ବଡସାହି ଠାରେ ଦେହାନ୍ତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ, ବାମନଘାଟୀ ଓ ପାଞ୍ଚପୀଢ ଉପଖଣ୍ଡରେ ଥିବା ଭାରତୀୟ ମଜଦୁର ସଂଘର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲାର ଅଙ୍ଗନଓ୍ବାଡିକର୍ମୀ, ଆଶାକର୍ମୀ, ପାଚିକା, ବିଭିନ୍ନ କଳକାରଖାନା, ଖଣିରେ କାର୍ଯ୍ଯ କରୁଥିବା ସଂଘର କାର୍ଯ୍ଯକର୍ତ୍ତାମାନେ ଯୋଗଦେଇ କରୁଣାକର ଦାସଙ୍କର ସ୍ମୁତିଗାନ କରିଥିଲେ l ଏଥିରେ ରାଜ୍ଯପଦାଧିକାରୀ ତଥା ମୟୂରଭଞ୍ଜ ଜିଲ୍ଲାର ବି.ଏମ୍.ଏସ୍. ର ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ କହନ୍ତି, ଶ୍ରୀ ଦାସ ସମଗ୍ର ଜିଲ୍ଲାରେ ଶ୍ରମିକମାନଙ୍କ ହିତଦୃଷ୍ଟିରୁ କାର୍ଯ୍ଯ କରୁଥିଲେ l ବିଭିନ୍ନ ସମୟରେ ଜିଲ୍ଲା, ରାଜ୍ଯ ତଥା ଦିଲ୍ଲୀ ପର୍ଯ୍ଯନ୍ତ ବହୁ କାର୍ଯ୍ଯକ୍ରମରେ ଯୋଗଦାନ କରି ଶ୍ରମିକମାନଙ୍କର ନାର୍ଯ୍ଯଦାବୀ ଉପରେ ସ୍ବରଉତ୍ତୋଳନ କରିଥିଲେ l ତାଙ୍କ ଭଳି ଦକ୍ଷ କାର୍ଯ୍ଯକର୍ତ୍ତାକୁ ହରାଇ ଥିବାରୁ ଆମ୍ଭେ ମର୍ମାହତ l ଭଗବାନ ତାଙ୍କ ପରିବାରକୁ ଶାନ୍ତି, ସ୍ବସ୍ତି ତଥା ମଙ୍ଗଳ ଅଧିକାରୀ କରି ରଖନ୍ତୁ ବୋଲି କହିଥିଲେ l ତାଙ୍କର ସହଧର୍ମିଣୀ ପଦ୍ମଗନ୍ଦା ଦାସ ମଧ୍ଯ ବଡସାହି ଅଙ୍ଗନଓ୍ବାଡି ଏସୋସିଏସନର ସଭାପତି ସହ ଜିଲ୍ଲା ଓ ରାଜ୍ଯର ବିଭିନ୍ନ ଦାୟିତ୍ବ ନେଇ ସଂଗ୍ରାମ କରୁଥିଲା ବେଳେ ସରକାର ଆକ୍ରୋଶମୂଳକ ଭାବେ ଚାକିରୀରୁ ବହିଷ୍କାର କରିଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା l ତାଙ୍କ ପରିବାର ସଂଘ ପାଇଁ କାର୍ଯ୍ଯକରି ବହୁ ସଂଘର୍ଷ ଭିତରେ ଗତି କରି ମଧ୍ଯ ଶେଷ ପର୍ଯ୍ଯନ୍ତ ସଂଘ ପାଇଁ ସମୟ ଦେଇ ଆସୁଥିଲେ l ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏଥିରେ ଜିଲ୍ଲା ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ, ସଂଘ ସମ୍ପାଦକ ବୋଧି ରଜତ ମହାନ୍ତ, ମନୋରମା ବେହେରା, ନୀଳାନ୍ଦ୍ରି ପାତ୍ର, ହେମଲତା ମିଶ୍ର, ଲଳିତା ବିନ୍ଧାଣୀ, ଲାଖିଆ ଟୁଡୁ, ସୁଜୁନୀ ନାଏକ, ଅଶୋକ କୁମାର ମହାନ୍ତ, ସାରଥୀ ମହାନ୍ତ, ବୀଣାପାଣି ଗାଇପାଇ, ସାଲମା ହେମ୍ବ୍ରମ ଓ ମୀନାକ୍ଷୀ ସାମଲ ପ୍ରମୁଖ ୧୨ଟି ବ୍ଲକରୁ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ l
ସେହିପରି ଭରଣ୍ଡିଆ ଠାରେ ଅବସ୍ଥିତ ମୟୂରଭଞ୍ଜ ମେଟାଲିସ ଲିମିଟେଡ ଶ୍ରମିକ ମାନଙ୍କ ତରଫରୁ ଏକ ଶୋକସଭା ଭାରତୀୟ ମଜଦୁର ସଂଘ କାର୍ଯ୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨ ମିନିଟ ନୀରବ ପ୍ରାର୍ଥନା କରି ତାଙ୍କର ଅମର ଆତ୍ମାର ସଦଗତି ପ୍ରାର୍ଥନା କରାଯାଇଥିଲା l ଏଥିରେ କମ୍ପାନୀ କର୍ମକର୍ତ୍ତାମାନଙ୍କ ମଧ୍ଯରୁ ଶ୍ରୀରାମ ସୋରେନ, ଦାସମାତ ବେସ୍ରା, ଦଶରଥ ମୁର୍ମୁ, ପରେଶ ମହାନ୍ତ, ମାନସିଂ ସୋରେନ, ମୋହନ ମାଝୀ ଓ ଗଣପତି ମହାନ୍ତ ପ୍ରମୁଖଙ୍କ ସହ ବହୁ କାର୍ଯ୍ଯକର୍ତ୍ତା ଯୋଗଦାନ କରିଥିଲେ l ତାଙ୍କ ପରି ଜଣେ ବରିଷ୍ଠ ଶ୍ରମିକ ନେତା ତଥା ସମାଜସେବୀଙ୍କୁ ହରାଇ ଜିଲ୍ଲାବାସୀ ଦୁଃଖ ପ୍ରକାଶ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ