ଇରାନ ଯୁଦ୍ଧ ପ୍ରଭାବ, ରନ୍ଧନ ଗ୍ୟାସ କଳାବଜାରୀ ସନ୍ଦେହ
କେନ୍ଦ୍ରାପଡା,୧୩ ମାର୍ଚ୍ଚ (ହି.ସ.)- ଇରାନରେ ଯୁଦ୍ଧ ଲାଗି ରହିଥିବାରୁ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ସାମାଜିକ ଗଣମାଧ୍ୟମରେ ବେଶ ରୋଚକ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ସାଧାରଣ ଜନତା ଆତଙ୍କିତ ଅବସ୍ଥାରେ ରହୁଛନ୍ତି । କେଉଁ ମୁହୂର୍ତ୍ତରେ ଗ୍ୟାସ ଯୋଗାଣ ବନ୍ଦ ହୋଇଯିବ ଅବା କଳାବଜାରରେ
---------------ଇରାନ ଯୁଦ୍ଧ ପ୍ରଭାବ, ରନ୍ଧନ ଗ୍ୟାସ କଳାବଜାରୀ ସନ୍ଦେହ


କେନ୍ଦ୍ରାପଡା,୧୩ ମାର୍ଚ୍ଚ (ହି.ସ.)- ଇରାନରେ ଯୁଦ୍ଧ ଲାଗି ରହିଥିବାରୁ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ସାମାଜିକ ଗଣମାଧ୍ୟମରେ ବେଶ ରୋଚକ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ସାଧାରଣ ଜନତା ଆତଙ୍କିତ ଅବସ୍ଥାରେ ରହୁଛନ୍ତି । କେଉଁ ମୁହୂର୍ତ୍ତରେ ଗ୍ୟାସ ଯୋଗାଣ ବନ୍ଦ ହୋଇଯିବ ଅବା କଳାବଜାରରେ ଗ୍ୟାସ ବିକ୍ରି ହେବ । ଏହିପରି ଆଶଙ୍କା ଲୋକେ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି । ଜିଲା ପ୍ରଶାସନ ଏହା ହୃଦୟଙ୍ଗମ କରିବା ପରେ କେନ୍ଦ୍ରାପଡ଼ା ଜିଲାରେ ଥିବା ବିଭିନ୍ନ ଗ୍ୟାସ ସିଲିଣ୍ଡର ଡିପୋରେ ଚଢଉ କରାଯାଇଛି । ଜିଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢଉ କରାଯାଇଛି । ଚଢଉ ବେଳେ ଗ୍ୟାସ ସିଲିଣ୍ଡର ଡିପୋରେ କେତେ ସିଲିଣ୍ଡର ରହିବା କଥା ତାହା ଅଛି ନା ନାହିଁ, ଯେଉଁ ଗ୍ରାହକମାନେ ବୁକିଂ କରିଛନ୍ତି ସେମାନଙ୍କ ପାଖରେ ଠିକ୍ ସମୟରେ ସିଲିଣ୍ଡର ପହଞ୍ଚୁଛି କି ନାହିଁ, ଏଜେନ୍ସୀ କୌଣସି କଳା ବଜାରୀରେ ସଂପୃକ୍ତ ଅଛି କି ଏହିସବୁ ଦିଗକୁ ନେଇ ଯୋଗାଣ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା । ଏହି ଚଢଉରେ ଯୋଗାଣ ବିଭାଗ ଅଧିକାରୀମାନେ ସଂପୃକ୍ତ ଥିଲେ ।

ଏ ସଂକ୍ରାନ୍ତରେ ଜିଲା ବେସାମରିକ ଯୋଗାଣ ବିଭାଗ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ, ଇରାନ୍ ରେ ଯୁଦ୍ଧ ଲାଗିରହିଥିବାରୁ ଗ୍ୟାସ ସିଲିଣ୍ଡର ମୂଲ୍ୟ ଅଧିକ ହୋଇଯାଇ ପାରେ ବୋଲି ଜନସାଧାରଣ ଅନୁମାନ କରୁଛନ୍ତି । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକେ ବିଭିନ୍ନ ପ୍ରକାରର ଚର୍ଚ୍ଚା କରୁଛନ୍ତି । ତେଣୁ ଲୋକଙ୍କ ମନରେ ଥିବା ବିଭ୍ରାନ୍ତିକର ଧାରଣାକୁ ଦୂର କରିବା ପାଇଁ ଏହି ଚଢଉ କରାଯାଇଥିଲା । ଗ୍ୟାସ ଡିପୋରେ କୌଣସି କଳାବଜାରୀ ହେଉନାହିଁ । ଯଦି କୌଣସି ଗ୍ୟାସ ଡିପୋରେ କଳାବଜାରୀ କରାଯାଉଥିବା ସୂଚନା ଜନତା ପ୍ରଶାସନକୁ ଦେବେ ତେବେ ସଂପୃକ୍ତ ଗ୍ୟାସ ଏଜେନ୍ସୀ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ପରିସ୍ଥିତିରେ ବ୍ୟତିବ୍ୟସ୍ତ ନ ହେବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଗ୍ୟାସ ସିଲିଣ୍ଡର ଯୋଗାଣରେ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ ବୋଲି ସେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande