ମହୁଲଫୁଲର ଅଭାବୀ ବିକ୍ରି ଅଭିଯୋଗ
ନୂଆପଡ଼ା, ୧୩ ମାର୍ଚ୍ଚ (ହି.ସ.)- ଜଙ୍ଗଲରେ ହସୁଛି ମହୁଲ ଗଛ । ପେନ୍ଥା ପେନ୍ଥା ମହୁଲ ଫୁଲରେ ଭର୍ତ୍ତି ହୋଇଛି ଗଛ। ଏହାକୁ ନେଇ ଲୋକଙ୍କ ମନରେ ଉତ୍ସୁକତା। କିଏ ମହୁଲ ସଂଗ୍ରହ କରିବାରେ ବ୍ୟସ୍ତ ତ କିଏ ପୁଣି ମହୁଲ ସଂଗ୍ରହ କରି ଦାଣ୍ଡ ଦୁଆରେ ଶୁଖାଉଛି । ଚାରିଆଡେ ମହୁଲ ଫୁଲର ମହକ, ମହକୁଛି ବଣ ପାହାଡ,
Mahul fula abhabi bikri


ନୂଆପଡ଼ା, ୧୩ ମାର୍ଚ୍ଚ (ହି.ସ.)- ଜଙ୍ଗଲରେ ହସୁଛି ମହୁଲ ଗଛ । ପେନ୍ଥା ପେନ୍ଥା ମହୁଲ ଫୁଲରେ ଭର୍ତ୍ତି ହୋଇଛି ଗଛ। ଏହାକୁ ନେଇ ଲୋକଙ୍କ ମନରେ ଉତ୍ସୁକତା। କିଏ ମହୁଲ ସଂଗ୍ରହ କରିବାରେ ବ୍ୟସ୍ତ ତ କିଏ ପୁଣି ମହୁଲ ସଂଗ୍ରହ କରି ଦାଣ୍ଡ ଦୁଆରେ ଶୁଖାଉଛି । ଚାରିଆଡେ ମହୁଲ ଫୁଲର ମହକ, ମହକୁଛି ବଣ ପାହାଡ, ଗାଁ ଦାଣ୍ଡ । ମାର୍ଚ୍ଚ ଓ ଏପ୍ରିଲ ମାସରେ ପ୍ରଚୁର ମହୁଲ ଫୁଲ ଗଛରେ ମିଳିଥାଏ । ନୂଆପଡା ଜିଲ୍ଲାର ବୋଡ଼େନ, ସିନାପାଲି, କୋମନା, ଖଡ଼ିଆଳ ବ୍ଲକରେ ପ୍ରଚୁର ପରିମାଣରେ ମହୁଲ ଗଛ ଦେଖିବାକୁ ମିଳିଥାଏ। ଲୋକେ ସକାଳୁ ଉଠି ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥାନ୍ତି। ଫୁଲ ସଂଗ୍ରହ ପୂର୍ବରୁ ଗଛ ତଳକୁ ସଫା ରଖିବା ପାଇଁ ନିଆଁ ଜାଳି ଦିଆଯାଏ କିମ୍ବା ମାଟି ଲେପି ଦିଆଯାଏ। ପ୍ରତିଦିନ ଭୋରରୁ ମହିଳା ଓ ପୁରୁଷ ମାନେ ନିଜ ଛୁଆଙ୍କ ସହ ଜଙ୍ଗଲକୁ ଯାଇ ଫୁଲ ସଂଗ୍ରହ କରୁଛନ୍ତି । ମହୁଲ ଫୁଲ ଗୋଟିଏ ଗୋଟିଏ ପଡ଼ୁଥିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଛ ତଳେ ରହିବାକୁ ପଡେ। କିଛି ଲୋକଙ୍କ ନିଜ ଗଛ ଥିବାବେଳେ କିଛି ଲୋକ ଜଙ୍ଗଲରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରିଥାନ୍ତି। ମହୁଲ କାହାପାଇଁ ମହୁଲି ନିଶା ତ କାହାର ଭାତ ହାଣ୍ଡି । ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ପରିବାର ପ୍ରତିପୋଷଣ ପାଇଁ ଏହା ଏକ ମୁଖ୍ୟ ଉତ୍ସ। ଦୁଇ ପଇସା ରୋଜଗାର ଆଶା ନେଇ ଜଙ୍ଗଲରେ ବୁଲି ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଲୋକେ। ପରେ ଘରେ ମହୁଲକୁ ନେଇ ଶୁଖାଇଲା ପରେ ବେପାରୀ ମାନଙ୍କୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି । ତେବେ ପରିଶ୍ରମ ହିସାବରେ ସେମାନେ ଉଚିତ ମୂଲ୍ଯ ପାଉ ନଥିବା ଅଭିଯୋଗ ହୋଇଛି । ବେପାରିମାନେ କିମ୍ବା ମଦଭାଟିର ଲୋକେ ୧୫ ରୁ ୨୦ ଟଙ୍କା ଦେଇ ମହୁଲ ଫୁଲ କିଣି ନେଉଛନ୍ତି । ଏହା ସରକାରଙ୍କ ରାଜସ୍ବ ବୃଦ୍ଧିର ମୁଖ୍ୟ ସ୍ରୋତ । ମହୁଲି ମଦ ବିକ୍ରୟ କରି ସରକାର ବହୁତ ଲାଭବାନ ହୋଇଥାନ୍ତି, କିନ୍ତୁ ମହୁଲ କିଣିବା ପାଇଁ ସରକାରୀ ବ୍ୟବସ୍ଥା ଉତ୍ସାହଜନକ ନୁହେଁ । ଫଳରେ ଲୋକେ ଅଭାବି ବିକ୍ରିର ଶିକାର ହେଉଥିବା କହିଛନ୍ତି। ପୁଣି ମାଙ୍କଡ଼ ଓ ଅନ୍ୟାନ୍ୟ ଜଙ୍ଗଲୀ ପଶୁ ମହୁଲ ଫୁଲ ଖାଇ ଯାଉଥିବାରୁ ସେମାନେ କମ ଫୁଲ ପାଉଥିବା ଜଣାଇଛନ୍ତି। ସାଧାରଣତଃ ଲଘୁ ବନଜାତ ଦ୍ରବ୍ଯ ବିକ୍ରୟ ତିନି ପ୍ରକାରରେ ହୋଇଥାଏ। ଯିଏ ଏହା କିଣିବାକୁ ଚାହିଁବ ସେ ଗ୍ରାମ ପଞ୍ଚାୟତରେ ପ୍ରତ୍ୟେକ ଦ୍ରବ୍ୟ ପାଇଁ ୧୦୦ ଟଙ୍କା ଦେଇ ରସିଦ କାଟିବ ଓ ଗୋଟିଏ ଋତୁ ପାଇଁ ଲୋକଙ୍କ ଠାରୁ ସିଧାସଳଖ କିଣି ପାରିବ। ଏମାନେ ପ୍ରାଥମିକ କ୍ରେତା, ଦ୍ଵିତୀୟରେ ଏମାନେ କୌଣସି ଗୋଦାମରେ ବିକ୍ରି କରିବେ ଓ ଶେଷରେ ଗୋଦାମ ମାଲିକ କୌଣସି କମ୍ପାନୀ କିମ୍ବା ସରକାରୀ ଭାରପ୍ରାପ୍ତ ଅଧିକାରୀଙ୍କୁ ବିକ୍ରି କରିବେ। ଏନେଇ ଖଡ଼ିଆଳ ଜିପିଇଓ ଦେଵୀ ଚରଣ ମେହେରଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ ଏନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ଓ ଆସନ୍ତା ସମିତି ବୈଠକରେ ଆଲୋଚନା ହେଲା ପରେ କହିପାରିବେ ବୋଲି କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande