
ସମ୍ବଲପୁର, ୧୩ ମାର୍ଚ୍ଚ (ହି.ସ.)- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଝୁଲେନ୍ ପୋଲ ନିକଟ ଅଲେଖ ମହିମା ମଠରେ ଗତ ଗୁରୁବାର ଉତ୍ତରାଖଣ୍ଡର ଲେହେରୀ ନାଗା ବାବା ୫ ଜଣିଆ ଦଳରେ ଆସି ବିରାଜମାନ ହୋଇଛନ୍ତି । ଏହି ଦଳ ମଠରେ ପହଞ୍ଚିବା ଜାଣି ଅଲେଖ ମହିମା ମଠାଧିଶ ଶେଷଦେବ ଅଲେଖ ବାବାଜୀ ସେମାନଙ୍କୁ ଭବ୍ୟ ସ୍ୱାଗତ ସହ ଭିତରକୁ ପାଛୋଟି ନେଇ ତାଙ୍କର ଅଭିବାଦନ କରିଥିଲେ l ଏହି ଅଘୋରୀ ନାଗା ବାବା ମାନେ ଅନ୍ୟର ରନ୍ଧା ଖାଦ୍ୟ ଗ୍ରହଣ କରୁନଥିବା ଯୋଗୁଁ ମଠ ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର ଭାବେ ସମସ୍ତ ସାମଗ୍ରୀ ଯୋଗାଇ ଦେବାପରେ ମଠ ପରିସରରେ ସେମାନେ ନିଜେ ନିଜର ଭୋଜନ ବ୍ୟବସ୍ଥା କରି ଭୋଜନ କରିଥିଲେ। ସେହି ପ୍ରସାଦ ମଠ ପରିସରରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀ ଭୋଜନ କରି ସନ୍ତୁଷ୍ଟ ହୋଇଥିଲେ । ଆସିଥିବା ନାଗା ବାବା ଗଣ କୁଚିଣ୍ଡା ଅଲେଖ ମହିମା ମଠ ଚାରିପାର୍ଶ୍ଵ ଭ୍ରମଣ କରି ବୃକ୍ଷଲତା ଓ ଅନେକ ପ୍ରକାରର ଔଷଧୀୟ ଗଛ ଦେଖି ଆନନ୍ଦିତ ହେବା ସହ ମଠାଧିଶ ଓ ଅଞ୍ଚଳବାସୀଙ୍କୁ ପ୍ରଶଂସା କରିଥିଲେ l ଏହି ଅବସରରେ ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ନାଗାବାବା ମାନଙ୍କ ଠାରୁ ଆର୍ଶୀବଚନ ଗ୍ରହଣ କରି ନାଗାବାବା ମାନଙ୍କୁ ନିଜ ଘରକୁ ମଧ୍ୟ ଆମନ୍ତ୍ରଣ କରିଥିଲେ l
ସୂଚନାଯୋଗ୍ୟ ଏହିପରି ଅନେକ ସମୟରେ ଏହି ମଠକୁ ଭିନ୍ନ ଭିନ୍ନ ରାଜ୍ୟରୁ ସାଧୁସନ୍ଥ କେତେବେଳେ ସାଇକେଲ ଓ ପଦଯାତ୍ରାରେ ଆସି ଏଠାରେ ବିଶ୍ରାମ ନେଇ ମଠରେ ଆଧ୍ୟାତ୍ମିକ ଦର୍ଶନ ଆଲୋଚନା କରି ମଠର ଶୋଭା ବଢ଼ାଉଥିବା ଅନେକ ସମୟରେ ଦେଖିବାକୁ ମିଳିଥାଏ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ