
କେନ୍ଦୁଝର, ୧୩ ମାର୍ଚ୍ଚ (ହି.ସ.)- ଜୁଡ଼ିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ 'ପିଏମ କିଷାନ ଉତ୍ସବ ଦିବସ'ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆସାମର ଗୌହାଟିଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ବ୍ୟାଙ୍କ ଖାତାକୁ 'ପିଏମ କିଷାନ ଯୋଜନା' ଅନ୍ତର୍ଗତ ୨୨ତମ କିସ୍ତିର ସହାୟତା ରାଶି ପ୍ରଦାନ କରିଥିଲେ। ଅନ୍ୟପଟେ, ଓୟୁଏଟି କୃଷି ସେବା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକ ସମାଜକୁ ଉଦବୋଧନ ଦେଇଥିଲେ। ସେ ସମସ୍ତ ଚାଷୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ସହାୟତା ନେବାକୁ ଆହ୍ୱାନ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ କୃଷକ, ବିଭାଗୀୟ ଅଧିକାରୀ ଓ କୃଷି ବୈଜ୍ଞାନିକମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, କେନ୍ଦୁଝର ପୌରାଧ୍ୟକ୍ଷା ଭାଗିରଥି ସିଂ, ସାଂସଦଙ୍କ ପ୍ରତିନିଧି ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡଃ. ଚନ୍ଦ୍ରଶେଖର ରଥ, ଡିଡିଏଚସୌମେନ୍ଦ୍ର ପାଣିଗ୍ରାହୀ, ପିଡି ୱାଟରସେଡ଼ ଅଶୋକ କୁମାର ସେନାପତି, ଏଡିଆର କିଶୋର ଚନ୍ଦ୍ର ସାହୁ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ସୁକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶେଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପୃଥିରାଜ ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA