
ରାଉରକେଲା, ୧୩ ମାର୍ଚ୍ଚ (ହି.ସ.)- ୨୫ ହଜାର ଟଙ୍କା ଲାଂଚ ନେବାବେଳେ ସୁନ୍ଦରଗଡ଼ ପୋଲିସ ଜିଲ୍ଲା ବଡଗାଁ ଥାନା ଏଏସଆଇ ଅରୁପାନନ୍ଦ ଦାସ ଭିଜିଲାନ୍ସ ହାତରେ ଧରାପଡି ଆଜି ଗିରଫ ହୋଇଛନ୍ତି । ତାଙ୍କ ବଡ଼ଗାଁ ସ୍ଥିତ ସରକାରୀ କ୍ୱାର୍ଟର, ଭୁବନେଶ୍ୱର ସ୍ଥିତ ଘରେ ଛାନଭିନ୍ ବେଳେ ନଗଦ ୩ ଲକ୍ଷ ୩୧ ହଜାର ଟଙ୍କା ସମେତ ଭିଏତନାମ ଓ ନେପାଳର କିଛି ବିଦେଶୀ ଅର୍ଥ ଜବତ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗିରଫ ପୋଲିସ ଏଏସଆଇ ଅରୁପାନନ୍ଦ ଗତକାଲି ଜଣେ ଢାବା ମାଲିକଙ୍କୁ ନିୟମିତ ମଦ କାରବାର କରିବା ପାଇଁ ନଗଦ ୨୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଅଳ୍ପ ଦୂରରେ ଛକି ରହିଥିବା ରାଉରକେଲା ଭିଜିଲାନ୍ସର ଅଧିକାରୀମାନେ ଶ୍ରୀ ଦାସଙ୍କୁ ମାଡି ବସିବା ସହ କେମିକାଲ ବୋଳା ଲାଂଚ ଅର୍ଥ ୨୫ ହଜାରକୁ ଜବତ କରିଥିଲେ । ରାଉରକେଲା ଭିଜିଲାନ୍ସ କେସ୍ ନଂ ୧/୨୦୨୬, ଧାରା ୭ ପିସି ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
ସୂଚନାଯୋଗ୍ୟ, ୨୦୨୪-୨୫ ମସିହାରେ ରାଉରକେଲା ଭିଜିଲାନ୍ସ ଏସପିଙ୍କ ପକ୍ଷରୁ ପୋଲିସ ବିଭାଗ ଉପରେ କୌଣସି ମାମଲା ହୋଇନଥିବା ବେଳେ ୨୦୨୬ରେ ଏହା ପ୍ରଥମ ମାମଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ