
କନ୍ଧମାଳ, ୧୩ ମାର୍ଚ୍ଚ (ହି.ସ.)- ଛୋଟ ଛୁଆଙ୍କୁ ଦେଖିଲେ ସାଧାରଣତଃ ଯେ କୌଣସି ବ୍ୟକ୍ତିର ମନରେ ଏକ ପ୍ରକାରର ସ୍ନେହ ମମତା ଉଙ୍କି ମାରିଥାଏ । ହେଲେ କିଛି ମଣିଷ ମଧ୍ୟ ଅଛନ୍ତି ସେମାନଙ୍କ ମନରେ ଏହି କୋମଳମତି ଶିଶୁ ମାନଙ୍କ ପାଇଁ କୃରତା ଓ ବର୍ବରତା ଦେଖା ଦେଇଥାଏ। ଏହିଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଜଣେ ମଦ୍ୟପ ସାବତ ବାପା ତା'ର ୪ ବର୍ଷୀୟ ଶିଶୁର ଯୌନାଙ୍ଗ କାଟି ଦେଇଥିବା ଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସୋନପୁର ପଞ୍ଚାୟତର ଦବେଡ଼ି ଗ୍ରାମର ରମିତା ମୁଠାମାଝୀ ସ୍ଵାମୀଙ୍କ ମୃତ୍ୟୁ ପରେ ରମିତା ଦବେଡ଼ି ଗ୍ରାମର ଜିକ୍ତ ମୁଠାମାଝୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଗୁରୁବାର ଦିନ ସ୍ତ୍ରୀ ରମିତ ମୁଠାମାଝୀ ୪ ବର୍ଷର ପୁଅକୁ ଘରେ ଛାଡି ଗୋବର ଆଣିବାକୁ ଯାଇଥିଲା। ଗୋବର ଆଣି ଘରକୁ ଆସି ଦେଖିବା ବେଳକୁ ତା'ର ସ୍ବାମୀ ପୁଅର ଯୌନାଙ୍ଗ କାଟି ଦେଇଥିବାରୁ ପୁଅର ଯୌନାଙ୍ଗରୁ ରକ୍ତ ବହି ଯାଉଥିବା ମାଆ ଦେଖିଥିଲା । ପିଲାଟିର ଯୌନାଙ୍ଗ କାଟି ଦେଇ ସାବତ ବାପା କାହାରିକୁ କିଛି କହି ନଥିଲା। ପୁଅର ଅବସ୍ଥା ଦେଖି ମାଆ ସଙ୍ଗେ ସଙ୍ଗେ ପୁଅକୁ ଦାରିଙ୍ଗବାଡି ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ଥିବା ଯୋଗୁଁ ଡାକ୍ତର ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ସ୍ବାମୀ ମଦ୍ୟପାନ କରି ଏସବୁ କରିଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ପଚାରିବାରୁ ସେ କହିଲେ ସ୍ୱାମୀ ଜଣେ ମଦୁଆ ଦୁର୍ଦ୍ଦାନ୍ତ ଲୋକ ବୋଲି ଭୟ କରୁଛି ସ୍ତ୍ରୀ। ସ୍ତ୍ରୀ ଏନେଇ ସ୍ବାମୀ ବିରୋଧରେ ଏତଲା ଦେବାକୁ ଭୟ କରୁଛି, ଏ ଯାଏଁ କୌଣସି ଏତଲା ଦିଆ ହୋଇ ନଥିବା ନେଇ ପୋଲିସ୍ କହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ