
ଧର୍ମଶାଳା, ୧୩ ମାର୍ଚ୍ଚ (ହି.ସ.)- ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି । ଫଳରେ ରନ୍ଧନ ଗ୍ୟାସ ଖାଉଟୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାଜପୁର ଜିଲାରେ ଏହାର ପ୍ରଭାବ ବହୁଳ ଭାବେ ପଡିଛି । ବେପାରୀମାନେ ଡିପୋରୁ ଅଧିକ ଟଙ୍କା ଦେଇ ନିଜ ନିଜ ଘରେ ଗ୍ୟାସ ଟାଙ୍କି ମହଜୁଦ ରଖି ସାଧାରଣ ଗ୍ୟାସ ଖାଉଟିମାନଙ୍କୁ ୧୧ଶହରୁ୧୨ଶହ ଟଙ୍କାରେ ବିକ୍ରୀ କରୁଛନ୍ତି । ଯାହାଫଳରେ ଗରୀବ ଖଟିଖିଆମାନଙ୍କ ଉପରେ ବେଶ ପ୍ରଭାବ ପଡିଛି । କଳାବଜାରୀ ରୋକିବାରେ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । ଏଭଳି ଘଟଣାକୁ ନେଇ ସାଧାରଣ ଲୋକେ ଯୋଗାଣ ଅଧିକାରୀଙ୍କୁ ସମାଲୋଚନା କରିଛନ୍ତି । ଅନଲାଇନ୍ ବୁକିଂ ବନ୍ଦ ହେବା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଯାଜପୁର ଜିଲାର ବଡଚଣା, ଧର୍ମଶାଳା ଓ ରସୁଲପୁର ବ୍ଲକରେ ସିଧାସଳଖ ଭାବେ ଗ୍ୟାସ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପକାଇଛି । ପୂର୍ବରୁ ରନ୍ଧନ ଗ୍ୟାସ ୮୯୫ ଟଙ୍କା ରହିଥିବା ବେଳେ ଯୁଦ୍ଧ ପରେ ପରେ ଏହାର ଦର ବୃଦ୍ଧି ପାଇ ଏବେ ୯୫୫ ରେ ପଂହଚିଛି । ଅଂଚଳକୁ ଗ୍ୟାସ ଗାଡି ଆସିବା ନେଇ ଖାଉଟିମାନଙ୍କୁ କୌଣସି ସୂଚନା ଦିଆଯାଉନାହିଁ । ଫଳରେ କିଛି ବେପାରୀ ଉକ୍ତ ଗ୍ୟାସକୁ ନେଇ ପରେ ଲୁଚାଛପାରେ ଚଢା ଦରରେ ବିକ୍ରୀ କରୁଛନ୍ତି । ଯେତିକି ପରିମାଣର ଗ୍ୟାସ ଆସୁଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ଗ୍ୟାସ ଉପଭୋକ୍ତା ଖରା ତାତିରେ ଘଂଟାଘଂଟା ଧରି ଅପେକ୍ଷା କରୁଛନ୍ତି । ଡିପୋ ମାଲିକଙ୍କୁ ଯୋଗାଯୋଗ କଲେ ମଧ୍ୟ କିଛି ଯୋଗାଯୋଗ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି । ଏ ଦିଗରେ ଜିଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ କଳାବଜାରୀ ରୋକିବାକୁ ଉଦ୍ୟମ କରିବାକୁ ଗ୍ୟାସ ଉପଭୋକ୍ତାମାନେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ