
ମୁଖୀଗୁଡା,୧୪ ମାର୍ଚ୍ଚ (ହି.ସ.)- ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ତୁମରିଖୋଲ ଜଙ୍ଗଲରେ ଜୟପାଟଣା ଅବକାରୀ ଥାନା ଅଧିକାରୀ ସୁରେଶ ଚନ୍ଦ୍ର ଭୋଇଙ୍କ ତତ୍ଵାବଧାନରେ, କନେଷ୍ଟବଳ ବଳଭଦ୍ର ପାତ୍ର, ନିରଞ୍ଜନ ବେହେରା, କୀର୍ତ୍ତି ଜେନା, ଭାନୁଚନ୍ଦ୍ର ମାଝୀ, କୁଳମଣି କର, ଅରୁଣାକ୍ଷ ଧଙ୍ଗଡ଼ାମାଝୀ ଏବଂ ଜିଲ୍ଲା ମୋବାଇଲ ୟୁନିଟ ଅଧିକାରୀ ବିଜୟ ଭୂଷଣ ନାୟକ ଏବଂ ତାଙ୍କ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ । ଏଥିରେ ୪୫୦୦ କେ.ଜି. ମହୁଲପୋଚ ଏବଂ ୩୦୦ ଲିଟର ଦେଶୀ ମଦ ନଷ୍ଟ କରାଯାଇଛି, ହେଲେ କେହି ଗିରଫ ହୋଇନାହାନ୍ତି ।
ପ୍ରକାଶ ଥାଉକି, ଗତ ୨୮ ତାରିଖରେ ଏହି ଜଙ୍ଗଲରେ ଚଢ଼ଉ କରାଯାଇ ୭୦୦୦ କେଜି ମହୁଲ ପୋଚ ଏବଂ ୨୦୦ ଲିଟର ଦେଶୀ ମଦ ନଷ୍ଟ କରାଯାଇଥିଲା, ହେଲେ କେହି ଗିରଫ ହୋଇ ନଥିଲେ । ଏହି ଜଙ୍ଗଲରେ ଅନେକ ଥର ଚଢ଼ଉ ହେଉଛି ହେଲେ ମଦ ପ୍ରସ୍ତୁତକାରୀ ଆଗରୁ ସୂଚନା ପାଇ ଫେରାର ହୋଇଯାଉଛନ୍ତି । ସେମାନଙ୍କୁ କିଏ ଆଗୁଆ ସୂଚନା ଦେଉଛି ବୋଲି ପ୍ରଶ୍ନ ଉଠୁଛି ।
ହିନ୍ଦୁସ୍ଥାନ ସମାଚାର / ନିହାର