

ସମ୍ବଲପୁର, ୧୪, ମାର୍ଚ୍ଚ (ହି.ସ.)
ଜାତୀୟ ଲୋକ ଅଦାଲତ ନାମରେ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏନେଇ ଅଭିଯୋଗକାରୀ ସରୋଜ ବାଗ (୫୨), ପିତା–ଗୋକୁଲ ଚନ୍ଦ୍ର ବାଗ, କମିଶନର କଲୋନୀ, ଧନୁପାଲି ଥାନା, ସମ୍ବଲପୁର ବାସିନ୍ଦା ଓ ବର୍ତ୍ତମାନ ଡିଏଲଏସଏ ସମ୍ବଲପୁରରେ ପିଏଲଭି ଭାବେ କାର୍ଯ୍ୟରତ, ଙ୍କ ଲିଖିତ ଅଭିଯୋଗ ଆଧାରରେ ଟାଉନ ଥାନା କେସ ନଂ–୯୦, ତାରିଖ ୧୩.୦୩.୨୦୨୬ ରୁଜୁ ହୋଇଛି। ମାମଲାଟି ଭାରତୀୟ ନ୍ୟାୟ ସଂହିତା ଧାରା ୩୦୮(୨)/୩୧୮(୩)/୩୧୯(୨) ଅନୁସାରେ ରୁଜୁ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଆୟୁବ୍ ଖାନ (୩୨), ପିତା–ଇସୁବ୍ ଖାନ, ଆମ୍ବେଦକର ନଗର, ମୋଦିପଡ଼ା, ଟାଉନ ଥାନା, ସମ୍ବଲପୁର ବାସିନ୍ଦା, ପିରବାବା ଛକ ନିକଟରେ “ଆୟସା କମ୍ୟୁନିକେସନ/ଜନ ସେବା କେନ୍ଦ୍ର” ନାମରେ ଏକ କେନ୍ଦ୍ର ଚାଲୁଥିଲେ। ସେ ଲୋକମାନଙ୍କୁ ଭୁଲ ଆଶ୍ୱାସନ ଦେଇ ୧୪ ମାର୍ଚ୍ଚରେ ହେବାକୁ ଥିବା ଜାତୀୟ ଲୋକ ଅଦାଲତ ମାଧ୍ୟମରେ ସମସ୍ୟା ସମାଧାନ କରାଇଦେବେ ବୋଲି କହି ପ୍ରତ୍ୟେକ ଲୋକଙ୍କୁ ୧୦୦ ଟଙ୍କା କରି ନେଇ ନାମ ରେଜିଷ୍ଟ୍ରେସନ କରୁଥିବା ଅଭିଯୋଗ ହୋଇଛି।
ଏହି ସୂଚନା କିଛି ଗଣମାଧ୍ୟମରେ ପ୍ରଚାର ହେବାରୁ ଅନେକ ଲୋକ ଏହାକୁ ସତ୍ୟ ବୋଲି ବିଶ୍ୱାସ କରିଥିଲେ। ଫଳରେ ୧୦୦ରୁ ଅଧିକ ଲୋକ ଏହି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି।
ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତଙ୍କ ପାଖରୁ ଏକ ଲ୍ୟାପଟପ୍, ଏକ ପ୍ରିଣ୍ଟର, ଏକ ମୋବାଇଲ ଫୋନ, ଡିଏଲଏସଏ ଫର୍ମ ଓ ପ୍ରାୟ ୮୮ଟି ଆଧାର କାର୍ଡ ଜବତ କରିଛି। ଏହି ଆଧାର କାର୍ଡଗୁଡ଼ିକୁ ଡିଏଲଏସଏ ପୋର୍ଟାଲରେ ଭୁଲ ଭାବରେ ରେଜିଷ୍ଟ୍ରେସନ କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଆୟୁବ୍ ଖାନକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ