
ଜୟପୁର, ୧୪ ମାର୍ଚ୍ଚ (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଶନିବାର ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ବାବଧାନରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଜୟପୁର ସମେତ କୋରାପୁଟ, କୋଟପାଡ, ବୋରିଗୁମ୍ମା, ସେମିଲିଗୁଡା, ଦଶମନ୍ତପୁର, ଲମତାପୁଟ ଏବଂ ଲକ୍ଷ୍ମୀପୁରରେ ଥିବା ସମସ୍ତ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ ) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ଓ ନିଯୁକ୍ତି ବିବାଦ, ଟ୍ରାଫିକ୍ ଚାଲାଣ, ଚେକ ବାଉନ୍ସ, ରାଜସ୍ୱ, ଖାଉଟି ବିବାଦ, ଜମି ଅଧିଗ୍ରହଣ, ବିଏସଏନଏଲ, ଚାକିରି ସମନ୍ଧୀୟ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇଥିଲା। କେବଳ ବିଚାରାଧିନ ମୋକଦ୍ଦମା ବ୍ୟତୀତ, ପ୍ରାକ-ମୋକଦ୍ଦମା ସ୍ତରୀୟ ବିବାଦର ମଧ୍ୟ ଲୋକ ଅଦାଲତରେ ସମାଧାନ କରାଯାଇଥିଲା । ଉକ୍ତ ଅଦାଲତରେ ଜିଲ୍ଲା ଦୌରାଜଜ କୋରାପୁଟ ପ୍ରଦୀପ କୁମାର ମହନ୍ତ, ପରିବାର ଅଦାଲତ ବିଚାରପତି ନିଶିଥ୍ ନିଶାଙ୍କ, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ. ଏସ.ଶୁଭଲକ୍ଷ୍ମୀ, ବରିଷ୍ଠ ଦେବାନି ବିଚାରପତି ସ୍ଵୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ତଥା ଭାରପ୍ରାପ୍ତ ସଚିବ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି, ରେଜିଷ୍ଟ୍ରାର ସିଭିଲ୍ କୋର୍ଟ ଜୟପୁର ବିଷ୍ଣ ପ୍ରସାଦ ଦେବତା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ସୁଶ୍ରୀ ଦୀକ୍ଷ୍କ୍ୟ ରାଉତରାଏ, ପ୍ରଜ୍ଞାସୁମନ ମହାପାତ୍ର ଓ ଜିଲ୍ଲାର ବିଭିନ୍ନ ରାଜସ୍ବ ଅଧିକାରୀ, ବ୍ୟାଙ୍କ ବି.ଏସ.ଏନ.ଏଲ, ପରିବହନ ଅଧିକାରୀ, ବିଦ୍ୟୁତ ବିଭାଗ, ବୀମା କମ୍ପାନୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ବିଭିନ୍ନ ବିଚାରଧିନ ମାମଲା ଓ ପ୍ରାକ୍ ମୋକଦ୍ଦମା ଗୁଡିକର ଫୈଇସଲା କରିଥିଲେ। ଆଇନଜୀବି ଶଶାନନ୍ଦ ମିଶ୍ର, ସୁଶ୍ରୀ ମନଜମାଳା ଦିନବନ୍ଧୁ, ଗୋପବନ୍ଧୁ ସାନ୍ତ୍ରା, ଜେ.ସତ୍ୟନାରାୟଣ ଆଚାରୀ, କାହ୍ନୁ ଚରଣ ମିଶ୍ର, ଚିନ୍ମମୟ ପଟ୍ଟନାୟକ, ସହଦେବ ପଟ୍ଟନାୟକ, ସୁଦାସୁରେଶ କୁମାର, ରଶ୍ମୀରଂଜନ ପଟ୍ଟନାୟକ, ଶ୍ରୀମତୀ ନଳୀନି ଖେମୁଣ୍ଡୁ ପ୍ରମୁଖ ଲୋକଅଦାଲତ ବେଞ୍ଚ ମାନଙ୍କରେ ସହଯୋଗ କରିଥିଲେ। ଏଥିରେ ସର୍ବ ମୋଟ ବିଚାରାଧିନ ମୋକଦ୍ଦମା ମାମଲା ୯୧୭୫ ମଧ୍ୟରୁ ୮୪୫୮ଟି ମାମଲା ଫୈସଲା କରାଯାଇ ୩୫୪୯୫୧୨୪ ଟଙ୍କା ସମାଧାନ ରାଶି ଧାର୍ଯ୍ୟ କରାଯାଇଥିଲା। ସେହିପରି ୩୪୪୦ ପ୍ରାକ୍ ମୋକଦ୍ଦମା ମାମଲା ମଧ୍ୟରୁ ୪୫୪ ମାମଲା ଫୈସଲା କରାଯାଇ ୧୦୬୧୨୧୨୭ ଟଙ୍କା ସମାଧାନ ରାଶି ଧାର୍ଯ୍ୟ କରାଯାଇଥିଲା।
ଏହି ଲୋକ ଅଦାଲୋତରେ ଜୟପୁର ଆଇନଜୀବି ସଂଘ ସଦସ୍ୟ, ପୋଲିସ୍ କର୍ମଚାରୀ, କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମକର୍ତ୍ତା ଲୋକ ଅଦାଲତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି