
କନ୍ଧମାଳ, ୧୪ ମାର୍ଚ୍ଚ (ହି.ସ.)- କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ ମୋକଦ୍ଦମା ମାମଲା ଗୁଡିକ ମଧ୍ୟରୁ ୮୦ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୩୫ ଲକ୍ଷ ୩୪ ଟଙ୍କା ଆଦାୟ କରାଯାଇଛି, ୩୬ଟି ଟ୍ରାଫିକ ଚାଲାଣ ସମ୍ବନ୍ଧୀୟ ମାମଲା ବିଚାର କରାଯାଇ ୬୩ ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି, ୩୩ ଟି ବିଦ୍ୟୁତ ମାମଲା ବିଚାର କରାଯାଇ ୫ ଲକ୍ଷ ୧୮୬ ଟଙ୍କା ଆଦାୟ କରାଯାଇଛି ଏବଂ ୫ ଟି ସ୍ଥାୟୀ ଲୋକ ଅଦାଲତର ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲାର ବିଚାର କରାଯାଇଛି ।
ସେହିପରି, ଅଦାଲତରେ ବିଚାରଧିନ ମାମଲା ଗୁଡିକ ମଧ୍ୟରୁ ୫ଟି ଏନ.ଆଇ. ଆକ୍ଟ ମାମଲାର ବିଚାର କରାଯାଇ ୪ ଲକ୍ଷ ୭୯ ହଜାର ୪୧୩ ଟଙ୍କା ଆଦାୟ କରାଯାଇଥିବା ବେଳେ ଗୋଟିଏ ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୬୦ ହଜାର ୯୭ ଟଙ୍କା ଓ ୨୦ ପଇସା ଆଦାୟ କରାଯାଇଛି । ଏଥିସହିତ ୨ ଗୋଟି ବୈବାହିକ ବିବାଦ ଫୈସଲା କରାଯାଇଥିବା ବେଳେ, ୬୧୬ ଗୋଟି ରାଜସ୍ବ ମାମଲା, ୩ଟି ଫୌଜଦାରୀ ସାଲିସ ଯୋଗ୍ୟ, ଅନ୍ୟାନ୍ୟ ୬ଟି ଦେୱାନୀ ମାମଲା ଏବଂ ୧୩୬ଟି ଫୌଜଦାରୀ ମାମଲା ବିଚାର କରାଯାଇ ୧ ଲକ୍ଷ ୯୬ ହଜାର ୮୦୯ ଟଙ୍କା ଆଦାୟ କରାଯାଇଛି । ଆଜିର ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ମାମଲାଗୁଡିକ ମଧ୍ୟରୁ ୧୫୪ଟି ଓ ଅଦାଲତରେ ବିଚାରାଧିନ ମାମଲାଗୁଡିକ ମଧ୍ୟରୁ ୭୬୯ଟି ମାମଲା ଫୈସଲା କରାଯାଇଛି । ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ରାମ ଶଙ୍କର ହୋତା, ପରିବାର ଅଦାଲତ ବିଚାରପତି ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଦୋଳଗୋବିନ୍ଦ ବାରିକ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ବନାଲି ତ୍ରିପାଠୀ, ରେଜିଷ୍ଟ୍ରାର, ସିଭିଲ କୋର୍ଟ, ଫୁଲବାଣୀ ପ୍ରିୟ ରଞ୍ଜନ ଓଝା, ମହିଳା ଅଦାଲତ ବିଚାରପତି ତଥା ଭାରପ୍ରାପ୍ତ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ଏସ.ଡି.ଯେ.ଏମ. ଶ୍ରୀମତୀ ସୌମ୍ୟା ସୋନାଲିକା, ଜେ.ଏମ୍.ଏଫ.ସି, (ଏଲ.ଆର ଆଣ୍ଡ ଏଲ.ଟି.ଭି) ବଦ୍ରିନାରାୟଣ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ମାମଲା ଗୁଡିକର ବିଚାର କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ