ଜୁଭେନଟିକା – ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ଓଡ଼ିଶା ପୋଲିସ୍ ଏବଂ ୟୁନିସେଫ୍ ର ମିଳିତ ସହଯୋଗରେ ଶନିବାର ଦିନ ଭୁବନେଶ୍ୱରସ୍ଥିତ ପୋଲିସ୍ ଭବନଠାରେ ‘ଜୁଭେନଟିକା – ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଡିଜିଟାଲ୍ ଦୁନିଆରେ ଶିଶୁମାନେ ସମ୍ମୁଖୀନ ହେଉଥିବା ଆହ
ଜୁଭେନଟିକା – ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ


ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ଓଡ଼ିଶା ପୋଲିସ୍ ଏବଂ ୟୁନିସେଫ୍ ର ମିଳିତ ସହଯୋଗରେ ଶନିବାର ଦିନ ଭୁବନେଶ୍ୱରସ୍ଥିତ ପୋଲିସ୍ ଭବନଠାରେ ‘ଜୁଭେନଟିକା – ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଡିଜିଟାଲ୍ ଦୁନିଆରେ ଶିଶୁମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ସମ୍ଭାବନାଗୁଡ଼ିକର ମୁକାବିଲା ପାଇଁ ପ୍ରଶାସକ, ବରିଷ୍ଠ ପୋଲିସ୍ ଅଧିକାରୀ, ଶିକ୍ଷାବିତ୍, ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିଶୁ ଅଧିକାର ବିଶେଷଜ୍ଞମାନଙ୍କୁ ଏକାଠି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ଅନଲାଇନ୍ ପରିବେଶରେ ଶିଶୁମାନଙ୍କର ଅଧିକାର ଏବଂ କଲ୍ୟାଣକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଅନୁଷ୍ଠାନ, ପରିବାର ଏବଂ ସମାଜ କିପରି ସହଯୋଗ କରିପାରିବେ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶିଶୁମାନଙ୍କ ପ୍ରତି ଥିବା ସାଇବର ବିପଦ ଏବଂ ଏହାର ମୁକାବିଲା ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାର ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ । ସେ ସୂଚନା ଦେଇଥିଲେ ଯେ, ସାଇବର ନିରାପତା ସଚେତନତା ବୃଦ୍ଧି ପାଇଁ ରାଜ୍ୟରେ ୨୦ଟି ନୂତନ ସାଇବର ପୋଲିସ୍ ଷ୍ଟେସନ ପ୍ରତିଷ୍ଠା କରାଯାଇଛି ଏବଂ ବୈଷୟିକ ସହାୟତା ପାଇଁ ସାଇବର ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯାଉଛି । ଏଥିସହିତ ୭୧ଟି ପୋଲିସ୍ ଷ୍ଟେସନରେ ‘ଶିଶୁ ଅନୁକୂଳ ସ୍ଥାନ’ ର ଉନ୍ନତିକରଣ କରାଯାଇଛି ଏବଂ ଆଗାମୀ ଦିନରେ ସମଗ୍ର ଓଡ଼ିଶା ପୋଲିସକୁ ଶିଶୁ ଅନୁକୂଳ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ଡିଜିଟାଲ୍ କ୍ଷେତ୍ରରେ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ୍ ଏବଂ ନାଗରିକ ସମାଜର ମିଳିତ ଦାୟିତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଆରକ୍ଷୀ ମହାନିର୍ଦେଶକ (କ୍ରାଇମବ୍ରାଂଚ) ଶ୍ରୀ ବିନୟତୋଷ ମିଶ୍ର କହିଛନ୍ତି ଯେ, ଭାରତର ଇଂଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୧୧ରେ ୧୨୫ ମିଲିୟନରୁ ବୃଦ୍ଧି ପାଇ ୨୦୨୧ରେ ୮୪୫ ମିଲିୟନରେ ପହଂଚିଛି । ସାଇବର ୱିଙ୍ଗର ‘ଚିଲଡ୍ରେନ୍ ଆଣ୍ଡ ୱିମେନ୍ ଅନଲାଇନ୍ ଆବ୍ୟୁଜ୍ ମନିଟରିଂ ୟୁନିଟ୍’ ପକ୍ଷରୁ ଅନଲାଇନରୁ କ୍ଷତିକାରକ ତଥା ଅଶ୍ଳୀଳ ବିଷୟବସ୍ତୁ ହଟାଇବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଶ୍ରୀମତୀ ଶାଇନି ଏସ୍. ଇଂଟରନେଟର ସୁରକ୍ଷିତ ବ୍ୟବହାର ପାଇଁ ଶିଶୁ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ୟୁନିସେଫ୍ ଓଡ଼ିଶାର କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ଦାଶ କହିଥିଲେ ଯେ, “ଶିଶୁମାନେ ଡିଜିଟାଲ୍ ଦୁନିଆର କେବଳ ନିଷ୍କ୍ରିୟ ବ୍ୟବହାରକାରୀ ନୁହଁନ୍ତି, ସେମାନେ ହେଉଛନ୍ତି ଶିକ୍ଷାର୍ଥୀ ଓ ସ୍ରଷ୍ଟା; ତେଣୁ ଡିଜିଟାଲ୍ ସୁରକ୍ଷା ଆଲୋଚନାର କେନ୍ଦ୍ରରେ ସେମାନଙ୍କ ସ୍ୱର ରହିବା ଆବଶ୍ୟକ”। ଏହି କାର୍ଯ୍ୟକ୍ରମରେ ସେଲିବ୍ରିଟି ଏବଂ ଇନଫ୍ଲୁଏନ୍ସରମାନଙ୍କ ସହ ଆଲୋଚନା କରାଯାଇଥିଲା, ଯେଉଁଠାରେ ସୋସିଆଲ ମିଡିଆ ଟ୍ରେଣ୍ଡ୍ କିପରି କିଶୋର କିଶୋରୀଙ୍କ ଆଚରଣକୁ ପ୍ରଭାବିତ କରୁଛି ସେ ବିଷୟରେ ଆଲୋଚନା ହୋଇଥିଲା । ଆଲୋଚନା ଚକ୍ରରେ ରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦିଆଯାଇଥିଲା।

ଓଡ଼ିଶା ପୋଲିସ୍ ତରଫରୁ ‘ରକ୍ଷା ସାଥୀ’ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଏବଂ ଶିଶୁ କଲ୍ୟାଣ ପୋଲିସ୍ ଅଧିକାରୀ ମାନଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ ଆରମ୍ଭ କରାଯିବ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଠ୍ୟକ୍ରମରେ ଡିଜିଟାଲ୍ ନିରାପତା ଶିକ୍ଷା ଏବଂ ‘ଡିଜିଟାଲ୍ ହାଇଜିନ୍ ଓ ସାଇକୋ-ସୋସିଆଲ୍ ଫାଷ୍ଟ ଏଡ୍ ଅନ୍ତର୍ଭୁକ୍ତ କରାଯିବ ।

ପୋଲିସ୍ ଏବଂ ଗଣ ଶିକ୍ଷା ବିଭାଗ ମିଳିତ ଭାବେ ଅଭିଭାବକ-ଶିକ୍ଷକ ବୈଠକ ରେ ଶିଶୁ କଲ୍ୟାଣ ପୋଲିସ୍ ଅଧିକାରୀମାନଙ୍କ ଅଂଶଗ୍ରହଣ ନିଶ୍ଚିତ କରିବେ । ଏଥିପାଇଁ ୟୁନିସେଫ୍ ଓଡ଼ିଶା ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ଆଲୋଚନା ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande