
ନୂଆପଡା,୧୪ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୂଆପଡା ଆନୁକୂଲ୍ୟରେ ଏବଂ ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୁନୀଲ କୁମାର ଦାସ, ଖଡ଼ିଆଳ ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପ୍ରଣମ କୁମାର ରାଉତ, ବରିଷ୍ଠ ଦେୱାନୀ ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ଖଡ଼ିଆଳ ସ୍ଥିତ ବରିଷ୍ଠ ଦେୱାନୀ ଜଜ୍ ଇଶା ପତି, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ, କୋମନା ସ୍ଥିତ ଜେ.ଏମ.ଏଫ଼୍.ସି ସମୃଦ୍ଧି ସାଗରିକା ବାରିକ, ଖଡ଼ିଆଳ ସ୍ଥିତ ଜେ.ଏମ.ଏଫ.ସି ସମିକ୍ଷା ସା, ବୋଡ଼େନ ସ୍ଥିତ ଜେ.ଏମ.ଏଫ.ସି ପଲ୍ଲବୀ ଦାସ ଏବଂ ବିଭିନ୍ନ ରାଜସ୍ୱ ବିଭାଗ ଅଂଶଗ୍ରହଣ କରି ୩୭୭୨ ଗୋଟି ବିଭିନ୍ନ ମାମଲା ଯଥା ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ଓ ରାଜସ୍ବ ମାମଲାଗୁଡିକ ବିଚାର କରାଯାଇଥିଲା ଏବଂ ୩,୦୭,୬୨,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ସେହିପରି ବିଭିନ୍ନ ବ୍ୟାଙ୍କ ଏବଂ ବିଦ୍ୟୁତ୍ ବିଭାଗ ଅଂଶଗ୍ରହଣ କରି ୪୧୧ ଗୋଟି ବ୍ୟାଙ୍କ ବକେୟା ୠଣ ଓ ବିଦ୍ୟୁତ୍ ଶୁକ୍ଳ ଦେୟ ମାମଲାଗୁଡ଼ିକର ଆପୋଷ ବୁଝାମଣାରେ ସମାଧାନ ହୋଇ ୬୮,୦୪,୯୬୦ ଟଙ୍କା ଜରିମାନା ଆଦାୟ ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଲୋକ ଅଦାଲତର ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ବିପୁଳ ପ୍ରଚାର ଲିଫ୍ଲେଟ ବଣ୍ଟନ ଓ ପ୍ରାକ୍ ପ୍ରସ୍ତୁତି ବୈଠକ ମାଧ୍ୟମରେ ସାରା ଜିଲ୍ଲାରେ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ