
କେନ୍ଦୁଝର, ୧୪ ମାର୍ଚ୍ଚ (ହି.ସ.) - ଏକ ରାଜ୍ୟସ୍ତରୀୟ ଦଳ ଭଣ୍ଡା ପଂଚାୟତକୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିବା ଜଣାପଡିଛି। ଖବର ଅନୁସାରେ, ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଭଣ୍ଡା ପଂଚାୟତକୁ ଆଇ.ଏସ.ଓ ଘୋଷଣା କରିବା ନିମନ୍ତେ ପ୍ରସ୍ତାବିତ ହୋଇଥୂବାରୁ ପଂଚାୟତର କାର୍ଯ୍ୟକ୍ରମ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ ଆଦି ବ୍ୟବସ୍ଥା ସହିତ ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ପରିଦର୍ଶନରେ ଆସିଥୂବା ରାଜ୍ୟସ୍ତରୀୟ ସମୀକ୍ଷକ ଅଧୂକାରୀ ପ୍ରିୟାଂଶୁ ରାଉତରାୟ ତନତନ କରି ଅନୁଧ୍ୟାନ କରି ସମୀକ୍ଷା କରିଥିଲେ । ଯାହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବାପରେ ଭଣ୍ଡା ପଂଚାୟତକୁ ଆଇ.ଏସ.ଓ ଭାବେ ଘୋଷଣା କରାଯିବା ନେଇ ବିଚାର କରାଯିବ। ଏହି ଅବସରରେ ଚମ୍ପୁଆ ବ୍ଲକ ଜି.ପି.ଡି.ଓ ମୋନାଲିସା ନାୟକ, ଚମ୍ପୁଆ ବ୍ଲକ ସି.ପି ରାମଚନ୍ଦ୍ର ମାରାଣ୍ଡି, ଚମ୍ପୁଆ ବି.ଆର.ସି ସୁଷମା ମହାନ୍ତି, ଭଣ୍ଡା ପଂଚାୟତ କାର୍ଯ୍ୟନିର୍ବାହୀ ଅଧୂକାରୀ ଜୁଲି ସର୍ଦାର, ଭଣ୍ଡା ଏ.ଡି.ଓ ଭକ୍ତବନ୍ଧୁ ବାରିକ, ଭଣ୍ଡା ସରପଂଚ ନୟନ ନାଏକ, ସମିତି ସଭ୍ୟା ସାଇବାଣୀ ନାଏକ ପ୍ରମୁଖଙ୍କ ସହିତ ପଂଚାୟତର ବୁଦ୍ଧିଜୀବୀ ଏବଂ ବହୁ ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟା ମାନେ ଉପସ୍ଥିତ ଥୂଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA