
ଝାରସୁଗୁଡା, ୧୪ ମାର୍ଚ୍ଚ (ହି.ସ.)- ଦିନକୁ ଦିନ ବଢ଼ୁଥିବା ଏଲପିଜି ରନ୍ଧନ ଗ୍ୟାସ ଦର, ସିଲିଣ୍ଡର ଅଭାବ ଓ କଳାବଜାରୀକୁ ନେଇ ସାଧାରଣ ଲୋକମାନେ ଭାରୀ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଏହାର ପ୍ରତିବାଦରେ ଶନିବାର ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଅଭିନବ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଜିଲ୍ଲା କଂଗ୍ରେସର ନେତୃତ୍ୱରେ ଦଳୀୟ କର୍ମୀମାନେ ଖାଲି ଗ୍ୟାସ ସିଲିଣ୍ଡର ଓ ରନ୍ଧନ ଭାଣ୍ଡା ନେଇ ପ୍ରତୀକାତ୍ମକ ଭାବେ ନାଳୀ ଗ୍ୟାସରେ ରନ୍ଧନ କରି ସରକାରଙ୍କ ନୀତି ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରତିବାଦକାରୀମାନେ କହିଥିଲେ ଯେ, ରନ୍ଧନ ଗ୍ୟାସ ଦର ଲଗାତାର ବୃଦ୍ଧି ପାଇଁ ସାଧାରଣ ଓ ଗରିବ ପରିବାରମାନଙ୍କ ପାଇଁ ରନ୍ଧନ କରିବା ଦୁର୍ଲଭ ହୋଇପଡ଼ିଛି।
ସେମାନେ ଅଭିଯୋଗ କରିଥିଲେ ଯେ, ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଲପିଜି ସିଲିଣ୍ଡର ଅଭାବ ସହ କଳାବଜାରୀ ଚାଲିଥିବାରୁ ଲୋକମାନେ ଅଧିକ ଦରରେ ଗ୍ୟାସ କିଣିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ତୁରନ୍ତ ବନ୍ଦ କରିବା ସହ ଗ୍ୟାସ ଦର କମେଇବା ପାଇଁ ସେମାନେ ସରକାରଙ୍କୁ ଦାବି ଜଣାଇଥିଲେ।
ଏହାସହ ଝାରସୁଗୁଡା ସହରରେ ପାଇପ ଲାଇନ୍ ମାଧ୍ୟମରେ ଘରୋଇ ଗ୍ୟାସ ଯୋଗାଣ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ ମଧ୍ୟ ଦାବି କରାଯାଇଥିଲା। ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ ନ କରାଯାଏ, ତେବେ ଆଗାମୀ ଦିନରେ ଆହୁରି ବଡ଼ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ କର୍ମୀମାନେ ସତର୍କ କରିଥିଲେ।
ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲା କଂଗ୍ରେସର ବହୁ ସଂଖ୍ୟକ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ