
ଜୟପୁର, ୧୪ ମାର୍ଚ୍ଚ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପୁଟ୍ରା, କଙ୍ଗା, ଓସିସିସି କୋଲନିରେ ଗ୍ଲକୋମା ସଚେତନତା ସପ୍ତାହ ପାଳନ ହୋଇଛି । ଗ୍ଲକୋମା ମୁକ୍ତ ବିଶ୍ୱ ପାଇଁ ଏକାଠି ହେବା ନେଇ ସଚେତନ କରାଯାଇଥିଲା । ସଅଳ ଚିହ୍ନଟ ସଠିକ ଚିକିତ୍ସା କରିବା କଳାମୋତିଆକୁ ଦୂରେଇଦେବା ଉପରେ ସଚେତନ କରାଯାଇଥିଲା । ମାର୍ଚ୍ଚ ୮ ରୁ ୧୪ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଗ୍ଲକୋମା ସପ୍ତାହ ପାଳନ କରିବା ପାଇଁ ଏବଂ ବୟସ୍କ ଓ ପିଲା ଉଭୟଙ୍କୁ ଗୋପନ ଭାବରେ ପ୍ରଭାବିତ କରୁଥିବା ଚକ୍ଷୁ ରୋଗ - ଗ୍ଲକୋମା ବିଷୟରେ ସଚେତନତା ସୃଷ୍ଟି କରାଯାଇଛି । ବିଶ୍ୱ ଗ୍ଲକୋମା ସପ୍ତାହ ହେଉଛି ବିଶ୍ୱ ଗ୍ଲକୋମା ଆସୋସିଏସନ୍ ଏବଂ ବିଶ୍ୱ ଗ୍ଲକୋମା ରୋଗୀ ସଂଘର ଏକ ମିଳିତ ବିଶ୍ୱସ୍ତରୀୟ ପ୍ରୟାସ । ଗ୍ଲକୋମା ହେଉଛି ଆଖିରେ ଚାପ ବୃଦ୍ଧି ସହିତ ଜଡିତ ଏକ ସମସ୍ୟା ଏବଂ ଏହା ଅପ୍ଟିକ୍ ସ୍ନାୟୁକୁ କ୍ଷତି ପହଂଚାଇଥାଏ, ଯାହା ଫଳରେ ଚିରଦିନ ପାଇଁ ଅନ୍ଧତ୍ୱ ହୁଏ । ଗ୍ଲକୋମା ରୋଗରେ ଅଧିକାଂଶ ଲୋକ ତାଙ୍କର ଚକ୍ଷୁଦୃଷ୍ଟି କମିବା କିମ୍ବା ଅନ୍ଧତ୍ୱ ଆରମ୍ଭ ହେବା ପରେ ମାତ୍ର ରୋଗଟି ଥିବା କଥା ଜାଣି ପାରନ୍ତି । ଗ୍ଲକୋମା ଏକ ଜଟିଳ ଅବସ୍ଥା ଏବଂ ଏହା ଏପରି ଏକ ଅବସ୍ଥାକୁ ବୁଝାଏ ଯାହା ଅପ୍ଟିକ୍ ସ୍ନାୟୁ କ୍ଷତି ଏବଂ ଦୃଶ୍ୟ କ୍ଷେତ୍ର କ୍ଷତିର କାରଣ ହୋଇଥାଏ । ବଂଶ, ପରିବାର ଇତିହାସ, ଉଚ୍ଚ ସମୀପ ଦୃଷ୍ଟିଦୋଷ ଏବଂ ବୟସ ଭଳି ଅନ୍ୟାନ୍ୟ କାରଣ ସହିତ ଗ୍ଲକୋମା ପାଇଁ ଉଚ୍ଚ ଆଭ୍ୟନ୍ତରୀଣ ଚାପ ଏକ ବିପଦର କାରଣ । ବୈଶ୍ୱକ ଆକଳନ ଅନୁଯାୟୀ ୨୦୪୦ ସୁଦ୍ଧା ଗ୍ଲକୋମା ରୋଗୀଙ୍କ ସଂଖ୍ୟା ୭୬ ନିୟୁତରୁ ୧୧୧.୮କୁ ବୃଦ୍ଧି ପାଇବ, ଯାହା ମଧ୍ୟରୁ ଅଧିକାଂଶ ରୋଗୀ ଆଫ୍ରିକା ଏବଂ ଏସିଆରେ ହେବେ । ଭାରତରେ ପ୍ରାୟ ୧୨ ନିୟୁତ ଲୋକ ଗ୍ଲକୋମାରେ ଆକ୍ରାନ୍ତ, ଯେଉଁଥିରେ ବିଳମ୍ବରେ ରୋଗ ନିର୍ଣ୍ଣୟ ଯୋଗୁଁ ଚିରଦିନ ପାଇଁ ଅନ୍ଧତ୍ୱର ହାର ୧୨.୮% ଅଟେ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ପିଲାଦିନର ଗ୍ଲକୋମା ଏବଂ ଷ୍ଟେରଏଡ୍-ଗ୍ରହଣ ଜନିତ ଗ୍ଲକୋମା । ରୋଗୀଙ୍କର କମ୍ ସଚେତନତା ଗ୍ଲକୋମାକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାକୁ ନେଇଥାଏ ଯାହା ଲକ୍ଷ ଲକ୍ଷ ରୋଗୀଙ୍କ କ୍ଷେତ୍ରରେ ଚିରଦିନ ପାଇଁ ଦୃଷ୍ଟିଶକ୍ତି ହାନୀ ସୃଷ୍ଟି କରିବାର ସମ୍ଭାବନା ବୃଦ୍ଧି କରିଥାଏ । ଏନେଇ ଗ୍ରାମବାସୀ ମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସଚେତନତା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି