
ଧର୍ମଶାଳା,୧୪ମାର୍ଚ୍ଚ(ହି.ସ.) - ନବ ନିର୍ମାଣ କୃଷକ ସଂଗଠନ ବୈଠକ ପୂର୍ବରୁ କର୍ମୀ ମଧ୍ୟରେ କେଁ । ଭିତିରି ଦ୍ୱନ୍ଦ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଯାହାକି ଆଗାମୀ ଦିନରେ ସଂଗଠନର ଗତି କୁଆଡେ ଯିବ ତାହାକୁ ନେଇ ସାଧାରଷର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଦର୍ମଶାଳା ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣେଶ୍ୱର ପୀଠରେ । ପୀଠ ପରିସରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ସାଂଗଠନିକ ବୈଠକ ବସି ଥିଲା । ତେବେ ବୈଠକ ବସିବା ଆରମ୍ଭରୁ କର୍ମୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଆରମ୍ଭରୁ ହୋ ହାଲ୍ଲା ହେବା ସହିତ ଚାଷୀମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । କିଛି ଚାଷୀ ଏହି ବୈଠକରେ ସଂଗଠନର ମୁଖ୍ୟଙ୍କ ଅନୁପସ୍ଥିତ ନେଇ ଜାତୀୟ ପତାକା ହଲାଇ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । କିଛି ସମୟ ପାଇଁ ଅଂଚଳରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇଥିଲା ।
ସୂଚନା ମୁତାବକ,ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜାରକାସ୍ଥିତ ଗୋକର୍ଣ୍ଣେଶ୍ୱର ପୀଠ ପରିସରରେ ଆସନ୍ତା ୨୨ତାରିଖଠାରୁ ୩୧ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଉପସ୍ଥିତ ରହିଥିବା ବେଳେ ରାଜ୍ୟ ସହ-ସଂଯୋଜକ ନିମାଇଁ ଚରଣ ରାୟ ଓ ଜିଲା ସଂଯୋଜକ ଦୂର୍ଗା ପ୍ରସାଦ ଦାସଙ୍କ ଅନୁପସ୍ଥିତକୁ ନେଇ ସଦସ୍ୟ ଓ କର୍ମୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଜିଲା ସଂଯୋଜକ ମାଧବାନନ୍ଦ ଶାନ୍ତି ବୈଠକକୁ ବିରୋଧ କରିବା ସହ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି କରାଯାଇଥିବା ନେଇ ସେ କହିଥିଲେ । ଧାନ ମଣ୍ଡି ଓ ନେତାଙ୍କଠାରୁ ମୋଟା ଟଙ୍କାର କାରବାର କରି ଚାଷୀମାନଙ୍କ ସହ ଖେଳ ଖେଳୁଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ । ଶେଷରେ ରାଜ୍ୟ ସଂଯୋଜକ ଏମଡି ମନୱର ଅଲ୍ଲୀ ଓ ଅନ୍ୟ ସଦସ୍ୟମାନେ ମଧ୍ୟସ୍ଥତା କରି ପରିସ୍ଥିତିକୁ ଶାନ୍ତ କରିଥିଲେ । କିନ୍ତୁ ନବ ନିର୍ମାଣ କୃଷକ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଜଳଜଳ ଦିଶୁ ଥିବା ବେଳେ ଆଗକୁ ଏହି ସଂଗଠନ କିପରି ସଙ୍ଗଠିତ ହୋଇ କାମ କରିବ ତାହାକୁ ନେଇ ଏହି ବୈଠକରେ ଉପସ୍ଥିତ ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ