
ପୁରୀ, ୧୪ ମାର୍ଚ୍ଚ (ହି.ସ.)- ଶନିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧୀକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା, ପିପିଲି, କୋଣାର୍କ, କଣାସ, ବ୍ରହ୍ମଗିରି, ଅସ୍ତରଙ୍ଗ ଓ କାକଟପୁର କୋର୍ଟରେ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ ଅଜନ୍ତା ଷଡଙ୍ଗୀଙ୍କ ତତ୍ବାବଧାନରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭାରପ୍ରାପ୍ତ ସଚିବ ସୋଭେନ କାନୁନଗୋଙ୍କ ପରିଚାଳନାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ୧୨୨୯୧ ଗୋଟି ମୋକଦ୍ଦମା ଫଇସଲା କରାଯିବା ସହ ଜୋରିମାନା ଓ କ୍ଷତିପୂରଣ ବାବଦରେ ୩ କୋଟି ୬୭ ଲକ୍ଷ ୬୩ ହଜାର ୮୩୭ ଟଙ୍କା ଆଦାୟ କରାଯାଇଅଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ଓ ଦୌରାଜଜ ଅଜନ୍ତା ଷଡଙ୍ଗୀ ଏହାକୁ ଉଦଘାଟନ କରିଥିଲେ । ପରିବାର ଅଦାଲତ ବିଚାରପତି ସୁମିତା ଜେନା, ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମିସ ଚିନ୍ମୟୀ ଦେହୁରି, ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ପ୍ରଜ୍ଞା ପଣ୍ଡା, ଦ୍ୱିତୀୟ ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ସୋନାଲୀ ଅପରାଜିତା, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ପତିତପାବନ ପଣ୍ଡା, ଗ୍ରାମ ନ୍ୟାୟାଧ୍ୟାକାରୀ ସୋନାଲୀ ମହାନ୍ତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି କଗ-୧ ମିସ୍ ରୀତିକା ଗର୍ଗ, ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ବିଚାରପତି କଗ-୨ ଅନିମେଶ ଜେନା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୌରଭ ମହାପାତ୍ର, ଚେତନ ଲାଢା, ଶିବାନୀ ମହାପାତ୍ର, ନିଲିସା ପଟ୍ଟନାୟକ ମାମଲା ଗୁଡିକର ବିଚାର କରିଥିଲେ । ଲୋକ ଅଦାଲତରେ ୫୦ ଗୋଟି ମୋଟର ଦୁର୍ଘଟଣା ମାମଲା ବିଚାର କରାଯାଇ ୨ କୋଟି ୮୯ ଲକ୍ଷ ୮୨ ହଜାର ଟଙ୍କା ଆଦାୟ କରାଯାଇଛି । ସେହିପରି ୩୬ ଗୋଟି ଚେକ ବାଉନ୍ସ କେସ, ୬ ଗୋଟି ମନି ରିକଭରି କେସ, ୩୨ ଗୋଟି ମାଟ୍ରିମନିଆଲ ଡିସପୁଟ କେସ, ୭୩ ଗୋଟି ଅନ୍ଯାନ୍ଯ ସିଭିଲ କେସେସ, ୩୦୨ ଗୋଟି ଅନ୍ଯାନ୍ଯ କ୍ରିମିନାଲ କେସ ମୋକଦ୍ଦମା ଫଇସଲା କରାଯାଇଥିଲା । ଏହାଛଡା ୨୦୭ ଗୋଟି ପ୍ରାକ ମୋକଦ୍ଦମା ମାମଲାର ଫଇସଲା କରାଯାଇ ବ୍ୟାଙ୍କ ଋଣ ଏଥି ବାବଦକୁ ୪୧ ଲକ୍ଷ ୭୦ ହଜାର ୧୩୦ ଟଙ୍କା ଆଦାୟ କରାଯାଇଛି ।
ଆଜିର ଏହି ଲୋକ ଅଦାଲତରେ ଜିଲ୍ଲା କାରାଗାରର କଏଦୀ ମାନଙ୍କ ଦ୍ବାରା ତିଆରି କରାଯାଇଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକର ଷ୍ଟଲ କୋର୍ଟ ପରିସରରେ ଆୟୋଜିତ ହୋଇଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ