
ବଲାଙ୍ଗୀର,୧୫ ମାର୍ଚ୍ଚ(ହି.ସ.) – କୁହାଯାଏ ଶିଶୁ ହସିଲେ ଦେଶ ହସିବ ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ଏଣୁ ରାଜ୍ୟ ଓ କେନ୍ଦ୍ର ସରକାର ଶିଶୁ ବିକାଶ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଗ୍ରାମାଂଚଳର ଶିଶୁ ଙ୍କୁ ମାଗଣା ପୃଷ୍ଟିକର ଖାଦ୍ୟ ପ୍ରଦାନ ସହ ପୋଷାକ, ବହିପତ୍ର ସବୁ ପ୍ରଦାନ କରାଯାଇ ଶାରୀରିକ ଓ ବୈ!ଦ୍ଧିକ ବିକାଶ ପାଇଁ ଶିକ୍ଷା ଦିଆଯାଉଛି। ହେଲେ ବାସ୍ତବରେ ଅନେକ ସ୍ଥାନରେ ଏହା କେବଳ କାଗଜପତ୍ରରେ ସୀମିତ ରହୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଳାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡ ପଂଚାୟତର ଗୁରୁଣ୍ଡା ଗ୍ରାମରେ। ଏଠାରେ ଦୀର୍ଘଦିନ ହେବ ଅଙ୍ଗନବାଡ଼ି କେନ୍ଦ୍ର ଜରାଜୀର୍ଣ୍ଣ ଭାବେ ପଡି ରହି ଥିବାରୁ ଶିଶୁ ମାନଙ୍କ ଶୈଶବ ଏବେ ଅସୁରକ୍ଷିତ ହୋଇପଡିଛି। ସରକାର ମମତାଭଲି ଅନେକ ଯୋଜନା ମାଧ୍ୟମରେ ଶିଶୁ ମାନଙ୍କ ବିକାଶ ପାଇଁ ଡିମଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅତି ଭୟଙ୍କର। ମାତ୍ର ଗୁରୁଣ୍ଡା ଗାଁରେ ଏହି ଯୋଜନା ଗୁଡ଼ିକ କେତେଦୂର ଫଳପ୍ରଦାନ ହେଉଛି,ତାହା ଏହି ଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି। ଗ୍ରାମବାସୀଙ୍କ ସହଯୋଗରେ ଅଙ୍ଗନବାଡ଼ି କର୍ମୀଙ୍କ ଘର ବାରଣ୍ଡାରେ ପିଲାମାନେ ବସୁଥିବାରୁ ସେମାନଙ୍କ ସୁରକ୍ଷା ଓ ଶିକ୍ଷାଦାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘରର ଏକ କୋଣରେ ପିଲାମାନେ ବସୁଥିବା ବେଳେ ସେହି ପାଖରେ ହିଁ ସେମାନଙ୍କ ପାଇଁ ରୋଷେଇ ଚାଲିଛି, ଯାହାକି ଯେକୌଣସି ମୁହୂର୍ତରେ ଏକ ବଡ ଦୁର୍ଘଟଣାକୁ ନିମନ୍ତ୍ରଣ ଦେଉଛି। ପ୍ରବଳ ଖରା କିମ୍ୱା ବର୍ଷା ସମୟରେ ପରିସ୍ଥିତି ଅଧିକ ଜଟିଳ ହୋଇପଡିଛି। ସ୍ଥାନୀୟ ପ୍ରଶାସନ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରର ଏଭଳି ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ସ୍ଥାନୀୟ ମହିଳା ଓ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପିଲାଙ୍କ ପାଇଁଁ ଏକ ସୁରକ୍ଷିତ ସରକାରୀ ଗୃହ ଯୋଗାଇ ଦେବାକୁ ସେମାନେ ବାରମ୍ୱାର ଦାବି କରିଆସୁଛନ୍ତି।ଆମ ପିଲାମାନେ କେତେ ଦିନ ଅନ୍ୟର ବାରଣ୍ଡାରେ ବସିବେ? ସରକାର କ'ଣ ଏକ ଘରଖଣ୍ଡେ ନିର୍ମାଣ କରିପାରୁ ନାହାନ୍ତିବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଓ ମହିଲାମାନଙ୍କ ପକ୍ଷରୁ ଜୋରଦାର ଦାବି କରାଯାଇଛି। ଯଦି ପ୍ରଶାସନ ତୁରନ୍ତ ଗୁରୁଣ୍ଡା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ନୂତନ ଗୃହ ନିର୍ମାଣ ନ କରନ୍ତି, ତେବେ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲିି ଚେତାବନୀ ଦେଇଛନ୍ତି। ଏ ବିଷୟରେ ସିଡିପିଓ ପୁର୍ଣିମା ବୈଠାରୁଙ୍କୁ ପଚାରିବାରୁ ମୋ ପାଖକୁ ଏ ପଯ୍ୟନ୍ତ କୈାଣସି ଅଭିଯୋଗ ଆସିନାହିଁ ବୋଲି କହିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ