
ଜୟପୁର, ୧୫ ମାର୍ଚ୍ଚ (ହି.ସ.)- ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରବନ୍ଧ ସମିତି ବୈଠକ ଶନିବାର ଠାରୁ ଆରମ୍ଭ ହୋଇଯାଇଥିବା ବେଳେ ରବିବାର ଉଦଯାପିତ ହୋଇଛି । ଜୟପୁର ଗେଟଗୁଡା ଠାରେ ରହିଥିବା ଶିକ୍ଷା ବିକାଶ ସମିତିର ଦକ୍ଷିଣ ସମ୍ଭାଗ ସରସ୍ୱତୀ ପ୍ରଶିକ୍ଷଣ ମନ୍ଦିର ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ବିଶ୍ଵ ହିନ୍ଦୁ ପରିଷଦ ନଗର ସଭାପତି ଭାବେ ଶଶୀ ଭୂଷଣ ଦାସ, ଉପ ସଭାପତି ଭାବେ ରାଜ କିଶୋର ଦାସ ଓ ସହ ସମ୍ପାଦକ ଭାବେ ଲକ୍ଷ୍ମୀ ନାରାୟଣ ପଢ଼ି ପଦବୀ ନିମନ୍ତେ ପ୍ରାନ୍ତ ମୁଖ୍ୟ ଘୋଷଣା କରିଥିଲେ l
ପରିଷଦର ଓଡ଼ିଶା ପଶ୍ଚିମ ପ୍ରାନ୍ତ ଅନ୍ତର୍ଗତ ୭ ବିଭାଗସ୍ଥ ୨୨ ଜିଲ୍ଲାର କର୍ମକର୍ତ୍ତା ଯୋଗଦେଇଥିଲେ । ଜୟପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜେଶ୍ୱର ପଣ୍ଡା ଏବଂ ବିଭାଗ ସଂପାଦକ ନବକୃଷ୍ଣ ରଥଙ୍କ ଉଦ୍ୟମକ୍ରମେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଭାବେ ପରିଷଦର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ସୋହନ୍ ସିଂ ସୋଲାଙ୍କି ଯୋଗ ଦେଇଥିବା ବେଳେ ପ୍ରାନ୍ତ ସଂଗଠନ ମନ୍ତ୍ରୀ ସତ୍ୟ ନାରାୟଣ ଥାନାପତି, ପ୍ରାନ୍ତ ସଂପାଦକ ଯୋଗେନ୍ଦ୍ର ଦାସ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୈଠକରେ ଆଗାମୀ ଦିନରେ ଭବାନୀପାଟଣାରେ ହେବାକୁ ରହିଥିବା ଦୁର୍ଗା ବାହିନୀର ପ୍ରଶିକ୍ଷଣ ବର୍ଗ, ସୋନପୁରରେ ହେବାକୁ ଥିବା ମାତୃଶକ୍ତି ପ୍ରାନ୍ତ ପ୍ରଶିକ୍ଷଣ ବର୍ଗ ଏବଂ ଝାରସୁଗୁଡ଼ାରେ ପ୍ରସ୍ତାବିତ ବଜରଙ୍ଗ ଦଳ ପ୍ରାନ୍ତ ପ୍ରଶିକ୍ଷଣ ବର୍ଗ ଉପରେ ଆଲୋଚନା ହୋଇଥିଲା । ତତ୍ସହ ଧର୍ମରକ୍ଷା ନିଧି ସହ ଧର୍ମାନ୍ତରୀକରଣ କିଭଳି ରୋକାଯାଇ ସ୍ୱଧର୍ମ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ତାହା ଉପରେ ନିଷ୍ପତି ହୋଇଥିଲା । କାର୍ଯ୍ୟକ୍ରମରେ ବିଭାଗ ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ନାୟକ, ଜୟପୁର ଜିଲ୍ଲା ସଭାପତି ଅଜିତ ନାୟକ, ସଂପାଦକ କମଳାକାନ୍ତ ବିଶ୍ୱାଳ, ପୂର୍ବତନ ପ୍ରାନ୍ତ ଉପସଭାପତି ବାବୁ ଭାଇ ବଜରଙ୍ଗି, କୋଷାଧ୍ୟକ୍ଷ ଗଙ୍ଗାଧର ନାୟକ, ମଠ ମନ୍ଦିର ସୁରକ୍ଷା ପ୍ରମୁଖ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଜିଲ୍ଲା ସେବା ବିଭାଗ ପ୍ରମୁଖ ଅକ୍ଷୟ କୁମାର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ନିବେଦିତା ରଥ, ରଜତ ବାଘ, ପ୍ରାନ୍ତ ଧର୍ମ ପ୍ରଚାର ସହ ସଂଯୋଜକ ଦୁର୍ଯେ୍ୟାଧନ ମାଳି, ଜିଲ୍ଲା ବିଧି ପ୍ରକୋଷ୍ଠ ପକ୍ଷରୁ ଆଇନଜୀବୀ ରାଜେନ୍ଦ୍ର କୁମାର ଗୌଡ଼, ଜ୍ୟୋତି ରଂଜନ ପୂଜାରୀ, ଲଛମନ ମହାପାତ୍ର, ଶଶି ଭୂଷଣ ଦାସ ଯୋଗଦେଇ ସହଯୋଗ କରିଥିଲେ । ଆଗାମୀ ଦିନରେ ଜିଲ୍ଲାରେ କିଭଳି ଶ୍ରୀରାମ ନବମୀ ପାଳନ, ହିନ୍ଦୁ ନବବର୍ଷ, ମାତୃଶକ୍ତି ବର୍ଗ, ହନୁମାନ ଜୟନ୍ତି ସହ ପରିଷଦର ବର୍ଗ ଆୟୋଜନ ହେବ ସେନେଇ ବିଷଦ ଆଲୋଚନା ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି