ବାମୁଣିପୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୂର୍ବତନ ଛାତ୍ରଛାତ୍ରୀ ସମ୍ମିଳନୀ
ଜୟପୁର, ୧୫ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅଧୀନସ୍ଥ ବାମୁଣିପୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରବିବାର ଏକ ବିଦ୍ୟାଳୟ ସ୍ତରୀୟ ଆଲୁମନାଇ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମ
ବାମୁଣିପୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୂର୍ବତନ ଛାତ୍ରଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ


ଜୟପୁର, ୧୫ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅଧୀନସ୍ଥ ବାମୁଣିପୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରବିବାର ଏକ ବିଦ୍ୟାଳୟ ସ୍ତରୀୟ ଆଲୁମନାଇ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଆଇଏସ୍ ଅଜୟ କୁମାର ମିଶ୍ର ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ଆଲୁମନାଇ ସଂଘର ସଭାପତି ଅରୁଣ କୁମାର ସାଡଙ୍ଗୀ, ସମ୍ପାଦକ ବନ୍ଧୁ ସିସା ଏବଂ ସଂଯୋଜକ (କନଭିନର୍) ରାଜୁ ପ୍ରଧାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସଭାରେ ୨୦୦୦ ମସିହାରୁ ୨୦୨୦ ମସିହା ମଧ୍ୟରେ ଉତ୍ତୀର୍ଣ୍ଣ ହୋଇଥିବା ବିଭିନ୍ନ ବ୍ୟାଚ୍ ର ପୂର୍ବତନ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜର ପୁରୁଣା ସ୍ମୃତି ଚାରଣ କରିବା ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଠନମୂଳକ ମତାମତ ଦେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ସହଭାଗୀ ହେବାକୁ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ। ମୁଖ୍ୟଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ବିଦ୍ୟାଳୟର ଶିକ୍ଷାଦାନ ଓ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆଗାମୀ ଦିନରେ ବିଦ୍ୟାଳୟର ଶିକ୍ଷାୟତନିକ ପରିବେଶ ଓ ଭିତ୍ତିଭୂମିର ବିକାଶ ପାଇଁ ସଂଘ ପକ୍ଷରୁ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଆଲୁମନାଇ ସଂଘ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥି ଓ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande