

ସମ୍ବଲପୁର, ୧୫, ମାର୍ଚ୍ଚ (ହି.ସ.) - ଦେଶ ବିଦେଶର ଭାରତୀ ବଂଶଧର ମାନଙ୍କୁ ସଙ୍ଗଠିତ କରିବା ଉଦ୍ଦେଶ୍ୟରେ ଆଗାମୀ ଏପ୍ରିଲ ୦୧ ତାରିଖରେ ଭାରତୀ ଉତ୍ସବ ପାଳନ ପାଇଁ ଭାରତୀ ସମାଜ ପକ୍ଷରୁ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଆୟୋଜିତ ବୈଠକରେ ଭାରତୀ ସମାଜର କ୍ଷେତ୍ରୀୟ ସଂଯୋଜକ ଡ. ସ୍ୱୟଂ ପ୍ରକାଶ ପଣ୍ଡା ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ଚଳିତ ବର୍ଷ ୨୫ ତମ ଭାରତୀ ଉତ୍ସବ ଆୟୋଜନକୁ ସ୍ମରଣୀୟ କରିବା ପାଇଁ ସଦସ୍ୟ ମାନଙ୍କ ଠାରୁ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା । ଏହାସହ ଏପ୍ରିଲ ୦୧ ତାରିଖ ଅପରାହ୍ନ ୪ ଟାରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ନେଇ ସ୍ଥିର କରାଯାଇଛି । ଭାରତୀ ସମାଜ ସମାଜର ପ୍ରତ୍ୟେକ ବର୍ଗକୁ ଏକତାର ବନ୍ଧନରେ ବାନ୍ଧିବା ପାଇଁ ବିଗତ ୨୫ ବର୍ଷ ଧରି ଅବାରିତ ଭାବରେ ଆପ୍ରାଣ ଉଦ୍ୟମ ଜାରି ରଖିଛି ବୋଲି ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇ ସୂଚନା ଦେଇଥିଲେ। ଏହି ଅବସରରେ ଆଗାମୀ ଭାରତୀ ଉତ୍ସବ କାର୍ଯ୍ୟକ୍ରମରେ ବିଭିନ୍ନ ଜାତି, ସମାଜକୁ ଦେଶ ଗଠନରେ ଯୋଗଦାନ ପାଇଁ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଥିଲା । ସାରା ବିଶ୍ୱରେ ବିଭିନ୍ନ ଦେଶରେ ରହିଆସୁଥିବା ଭାରତୀ ବଂଶଧର ମାନଙ୍କ ମଧ୍ୟରେ ଏକତା ଏବଂ ସମନ୍ୱୟ ସ୍ଥାପନ ସହ ଭାରତୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ନେଇ ଭାରତୀ ସମାଜର ଅନ୍ତରାଷ୍ଟ୍ରୀୟ ସଂଯୋଜକ ପଣ୍ଡିିତ ଦେବେନ୍ଦ୍ର ଦତ ଶର୍ମା ଦେଇଥିବା ବାର୍ତା ଆଜିର ବୈଠକରେ ଉପସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଏବଂ ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟାରେ ପ୍ରତିନିଧି ମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ ୨୫ ତମ ଭାରତୀ ଉତ୍ସବକୁ ସଫଳ କରିବା ଦିଗରେ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରାଯାଇଥିଲା । ବୈଠକରେ ଭାରତୀ ସମାଜର ମହାସଚିବ ଦେବୀ ପ୍ରସାଦ ଭୋଇ, ବରିଷ୍ଠ ସଦସ୍ୟ କାର୍ତିକ ପ୍ରସାଦ ବହିଦାର, ଅମିତାଭ ମାଝୀ, ଅଶୋକ ତ୍ରିପାଠୀ, ସୁରେନ୍ଦ୍ର ବଗର୍ତୀ, ସୁଷମା ପ୍ରଧାନ, ଗୋପବନ୍ଧୁ ସେନାପତି, ରାଜେଶ ସ୍ୱାଇଁ, ଦଶରଥ ମେହେର, ପ୍ରେମ ସାହାଣୀ ପ୍ରମୁଖ ବହୁ ସୁଚିନ୍ତିତ ମତାମତ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ