
ଜୟପୁର, ୧୫ ମାର୍ଚ୍ଚ (ହି.ସ.)- ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଓ ଓଡ଼ିଶା ରିସର୍ଚ୍ଚ ସେଣ୍ଟର (ଓଆରସି)ଙ୍କ ମିଳିତ ଆନୁକୁଲ୍ଯରେ ବିଶ୍ୱବିଦ୍ୟାଳୟ ପରିସରରେ “କେବିକେକୁ ପୁନଃକଳ୍ପନା : ପଛୁଆପଣରୁ ବିକଶିତ ଓଡ଼ିଶା ୨୦୩୬ ପର୍ଯ୍ୟନ୍ତ” ଏକ ସେମିନାର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ପ୍ରଖ୍ୟାତ ଶିକ୍ଷାବିଦ୍, ବୈଜ୍ଞାନିକ ଓ ନୀତି ବିଶେଷଜ୍ଞମାନେ ଅଭିଭକ୍ତ କୋରାପୁଟ–ବଲାଙ୍ଗୀର–କଳାହାଣ୍ଡି (କେବିକେ) ଅଞ୍ଚଳର ଉନ୍ନତି ସମ୍ଭାବନା ଏବଂ ଓଡ଼ିଶାର ଦୀର୍ଘମିଆଦି ଉନ୍ନତି ଦୃଷ୍ଟିକୋଣ ଉପରେ ଚର୍ଚ୍ଚା କରିଥିଲେ।
ସେମିନାରକୁ ସିୟୁଓର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଉଦ୍ଘାଟନ କରିଥିଲେ । ଏହି ଅବସରରେ ମଞ୍ଚରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ପୂର୍ବତନ ଆଇଆରଏସ ଅଧିକାରୀ ଏବଂ ‘ଲାଇଭଲିହୁଡ୍ ଆଲ୍ଟରନେଟିଭ୍ସ’ ଓ ‘ପେସ୍ ଫାଉଣ୍ଡେସନ’ର ସ୍ଥାପକ ଓ ସିଏମଡି ସମ୍ବିତ କୁମାର ତ୍ରିପାଠୀ, ଓଡ଼ିଶା ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ (ଓସିଆଇଡି)ର ଅର୍ଗାନାଇଜିଂ ସେକ୍ରେଟାରୀ ପ୍ରଫେସର ରଣା ପୃଥ୍ୱୀରାଜ ସିଂହ, ଭାରତ ସରକାରଙ୍କ ନାଫେଡ୍ (ଓଡ଼ିଶା) ମୁଖ୍ୟ ସୁଶ୍ରୀ ଅନିନ୍ଦିତା ଗୁହା, କେପିଏମଜିର ପାର୍ଟନର ଓ ଡିରେକ୍ଟର ସୁଶ୍ରୀ ଅପରାଜିତା ତ୍ରିପାଠୀ (ଅନଲାଇନ), ସିୟୁଓର ଫାଇନାନ୍ସ ଅଫିସର ଦୁର୍ଯୋଧନ ସେଠୀ, ସେମିନାରର ଆବାହକ ଡ଼ଃ. ଜୟନ୍ତ କୁମାର ନାୟକ ଓ ସହ-ଆବାହକ ଡ଼ଃ. ଦେବବ୍ରତ ପଣ୍ଡା ଉପସ୍ଥିତ ଥିଲେ।
ଉଦ୍ଘାଟନୀ ଭାଷଣରେ ପ୍ରଫେସର ପଣ୍ଡା କେବିକେ ଅଞ୍ଚଳର ସମସ୍ୟାଗୁଡ଼ିକ ସହ ଗଭୀର ସମ୍ପୃକ୍ତି ଓ କାର୍ଯ୍ୟକାରୀ ଉନ୍ନତି ରଣନୀତି ତିଆରି କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ କହିଥିଲେ, “କେବିକେ ଅଞ୍ଚଳ ପାଇଁ କେନ୍ଦ୍ରିତ ଯୋଜନା ଏବଂ ଉନ୍ନତିମୂଳକ କାର୍ଯ୍ଯକଳାପର ନିରନ୍ତର କାର୍ଯ୍ଯନୁଷ୍ଠାନ ଆବଶ୍ୟକ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ କୃଷକ, ବୁଣାକାର ଓ ଉଦ୍ୟୋଗୀମାନଙ୍କୁ ଆଧୁନିକ ପ୍ରଯୁକ୍ତି ଓ ବଜାରଜାତକରଣ ରଣନୀତି ବିଷୟରେ ତାଲିମ ଦେଇ ସହଯୋଗ କରିବାକୁ ପ୍ରତିବଦ୍ଧ।”
ଅଞ୍ଚଳର କୃଷି ସମ୍ଭାବନା ଉପରେ ଆଲୋକପାତ କରି ସୁଶ୍ରୀ ଅନିନ୍ଦିତା ଗୁହା କହିଥିଲେ ଯେ, ଓଡ଼ିଶାକୁ କେବିକେ ଅଞ୍ଚଳର ସ୍ୱଦେଶୀ ଉତ୍ପାଦନ ବୃଦ୍ଧି କରିବାକୁ ପଡ଼ିବ। ସେ କହିଥିଲେ, “ଚାଉଳ ବ୍ୟତୀତ ଅନେକ ଆବଶ୍ୟକୀୟ ପଣ୍ୟ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି। କେବିକେ ଅଞ୍ଚଳରେ ଡାଲି, ମାଣ୍ଡିଆ, ତୈଳଶସ୍ୟ, ପନିପରିବା, ଦୁଧ ଓ ଅନ୍ୟାନ୍ୟ ଆବଶ୍ୟକ ପଣ୍ୟ ଚାଷ ପାଇଁ ଅପାର ସମ୍ଭାବନା ରହିଛି।” ସେ ଆହୁରି କହିଥିଲେ ଯେ, ଏ ଦିଗରେ ଅଗ୍ରଗତି ନିରୀକ୍ଷଣ କରିବାରେ ନାଫେଡ୍ ସହଯୋଗ କରିବ।
ସୁଶ୍ରୀ ଅପରାଜିତା ତ୍ରିପାଠୀ ଗ୍ରାମୀଣ ଉତ୍ପାଦକମାନଙ୍କ ଆୟ ବୃଦ୍ଧି ପାଇଁ ସ୍ଥାନୀୟ ଉତ୍ପାଦର ମୂଲ୍ୟ ବୃଦ୍ଧି (ଭ୍ୟାଲୁ ଆଡିସନ)ର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ପ୍ରଫେସର ରଣା ପୃଥ୍ୱୀରାଜ ସିଂହ କହିଥିଲେ ଯେ, ଓସିଆଇଡିର ପ୍ରୟାସ ମାଧ୍ୟମରେ ଭିଜନ ଓଡ଼ିଶା ୨୦୩୦ ଓ ବିକଶିତ ଭାରତ ୨୦୪୭ ପରି ଦୃଷ୍ଟିପତ୍ର ତିଆରିରେ ବିଶେଷଜ୍ଞମାନଙ୍କ ମତାମତ ଦିଆଯାଇଛି। ସେ କହିଥିଲେ ଯେ, କେବିକେ ଅଞ୍ଚଳ ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବ।
ଆରମ୍ଭରେ ଡ଼ଃ. ଜୟନ୍ତ କୁମାର ନାୟକ ସ୍ୱାଗତ ଭାଷଣ ଦେଇ ସେମିନାରର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ ଏବଂ ଶେଷରେ ଡ଼ଃ. ଦେବବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ଯକ୍ରମଟି ଡ଼ଃ. ମୋନିକା ପ୍ରିୟଦର୍ଶିନୀ ଓ ସୁଶ୍ରୀ ସାଇ ସୌମ୍ୟାଙ୍କ ଦ୍ୱାରା ସଂଚାଳିତ ହୋଇଥିଲା।
ଉଦ୍ଘାଟନୀ ଅଧିବେଶନରେ ଡ଼ଃ. ଦେବବ୍ରତ ପଣ୍ଡା, ପ୍ରଫେସର ଶରତ କୁମାର ପାଲିତା ଓ ଡ଼ଃ. କାକୋଳୀ ବାନାର୍ଜୀଙ୍କ ଦ୍ଵାରା ସମ୍ପାଦିତ ଶୀର୍ଷକ ଏକ ପୁସ୍ତକର ଉନ୍ମୋଚନ ହୋଇଥିଲା। ଏହି ପୁସ୍ତକରେ ୧୯–୨୦ ଏପ୍ରିଲ ୨୦୨୪ ରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିଭିଦତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ପ୍ରସିଡିଂସ୍ ସମ୍ମିଳିତ ଅଛି।
ଏହି ସେମିନାରରେ ହୋଇଥିବା ଆଲୋଚନା ଓ ବିଶେଷଜ୍ଞମାନଙ୍କ ମତାମତ କେବିକେ ଅଞ୍ଚଳର ସ୍ଥାୟୀ ଉନ୍ନତି ଏବଂ ବିକଶିତ ଓଡ଼ିଶାର ଲକ୍ଷ୍ୟ ପାଇଁ ବ୍ୟବହାରିକ ରଣନୀତି ତିଆରିରେ ସାହାଯ୍ୟ କରିବ ବୋଲି ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼ଃ. ଫଗୁନାଥ ଭୋଇ ଜଣେଇଛନ୍ତି । ଏହା ସହ ଏହି କାର୍ଯ୍ଯକ୍ରମରେ ପୂର୍ବତନ ଓଏଏସ ଅଧିକାରୀ ଏବଂ ସିୟୁଓର ପୂର୍ବତନ ଭିଜିଟିଂ ପ୍ରଫେସର ଡ଼ଃ. ଚିତ୍ରସେନ ପଶାୟତ, ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟ (ଅରୁଣାଚଳ ପ୍ରଦେଶ)ର ପୂର୍ବତନ ପ୍ରଫେସର ମାଗୁଣି ଚରଣ ବେହେରା, କଳାହାଣ୍ଡିର ମାଣିକେଶ୍ବରୀ ଏଗ୍ରୋ ପ୍ରାଇଭେଟ ଲିମିଟେଡର ସ୍ଥାପକ ଓ ସିଇଓ ସୁଶ୍ରୀ ଜୟନ୍ତୀ ମହାପାତ୍ର, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ (ଭବାନୀପାଟଣା)ର ମାନବବିଜ୍ଞାନ ବିଭାଗର ଏସୋସିଏଟ ପ୍ରଫେସର ଡ଼ଃ. ରାଜକିଶୋର ମହାନା ଓ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନ ଜାତୀୟ ଗବେଷଣା ବିକାଶ ନିଗମର ବରିଷ୍ଠ ଅଞ୍ଚଳୀୟ ପ୍ରବନ୍ଧକ ଓ ଆଉଟ୍ରିଚ୍ କାର୍ଯ୍ୟାଳୟ ମୁଖ୍ୟ ଡ଼ଃ. ବିଜୟ କୁମାର ସାହୁ (ଅନଲାଇନ) ସହ ବିଶ୍ୱବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ ବୋଲି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି