ନ୍ୟାୟ ଅପେକ୍ଷାରେ ଜଳଧର
ନୂଆପଡ଼ା,୧୫ ମାର୍ଚ୍ଚ (ହି.ସ.)- ନୂଆପଡା ଜିଲ୍ଲାର ପ୍ରମୁଖ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ। ଏହି ଡ୍ୟାମ ପାଇଁ ଅନେକ ଗାଁ ଉଜୁଡି ଯାଇଛି। କିନ୍ତୁ, ଏବେ ମଧ୍ୟ ଅନେକ ପରିବାର ପ୍ରାପ୍ୟ ପାଇ ନଥିବା ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ କରି କାର୍ଯ୍ୟାଳୟ ପରିସରରେ ଦୀର୍ଘ
Nyaya apekshya re jaldhar


ନୂଆପଡ଼ା,୧୫ ମାର୍ଚ୍ଚ (ହି.ସ.)- ନୂଆପଡା ଜିଲ୍ଲାର ପ୍ରମୁଖ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ। ଏହି ଡ୍ୟାମ ପାଇଁ ଅନେକ ଗାଁ ଉଜୁଡି ଯାଇଛି। କିନ୍ତୁ, ଏବେ ମଧ୍ୟ ଅନେକ ପରିବାର ପ୍ରାପ୍ୟ ପାଇ ନଥିବା ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ କରି କାର୍ଯ୍ୟାଳୟ ପରିସରରେ ଦୀର୍ଘବର୍ଷ ହେଲା ରହି ଆସୁଛନ୍ତି ଜଣେ ବ୍ୟକ୍ତି। ରୋଷେଇ କରି ଖାଇବା ସହ ଶୋଇବା ଓ ସମସ୍ତ କାମ ଏଇଠି କରୁଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଳଧର ମାଝୀ । ଘର ତାଙ୍କର ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଗ୍ରାମପଞ୍ଚାୟତର କାଳିମାଟି ଗ୍ରାମରେ। ଦୁଇ ହଜାର ମସିହାରେ ତିଖାଲି ଡ୍ୟାମ ନିର୍ମାଣ ପାଇଁ ଶିଳାନ୍ୟାସ ଦିଆଯାଇଥିଲା। ଏହି ଡ୍ୟାମ ପାଇଁ ୩୦ଟି ଗାଁ ବୁଡ଼ି ଅଞ୍ଚଳ ଭାବରେ ଘୋଷିତ ହୋଇଥିବା ବେଳେ କାଳିମାଟି ଗାଁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା। ଗ୍ରାମବାସୀ ବିସ୍ଥାପିତ ହୋଇ ଦୁର୍ବିସହ ଜୀବନ ଜିଇଁବାକୁ ବାଧ୍ୟ ହୋଇଥିଲେ। ଲୋକେ ହରାଇଥିବା ଜମିବାଡ଼ି ଘରଦ୍ୱାର ପାଇଁ ଉପଯୁକ୍ତ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ମିଳିଲା, ହେଲେ ପ୍ରଶାସନ ଓ ଦଲାଲଙ୍କ ପାଇଁ ଅନେକ ପରିବାର ଉପଯୁକ୍ତ ସହାୟତା ପାଇ ପାରିଲେନାହିଁ। ଏମିତି ଏକ ଅଭିଯୋଗ କରି ଦୀର୍ଘବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଅଫିସରେ ପଡି ରହିଛନ୍ତି ଜଳଧର ମାଝୀ। ଜଳଧରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବାପା ଓ ଅନ୍ୟମାନଙ୍କ ନାମରେ ୧୬ ଏକର ଜମି ଥିଲା। କ୍ଷତିପୂରଣ ବାବଦରେ କୋଟିଏରୁ ଊର୍ଦ୍ଧ୍ଵ ଟଙ୍କା ମିଳିଥିବା ବେଳେ ତାଙ୍କୁ କିଛି ନଦେଇ ସବୁ ଆତ୍ମୀୟ ସ୍ଵଜନ ମାନେ ନେଇ ଯାଇଥିଲେ। ସେ ନିଜ ପ୍ରାପ୍ୟ ଦାବି କରିବାରୁ ତାଙ୍କୁ ଶାରୀରିକ, ମାନସିକ ଯନ୍ତ୍ରଣା ଦିଆଯାଇଥିଲା। ଏପରିକି ହାଇଦ୍ରାବାଦ କାମ କରିବାକୁ ନେଇ ତାଙ୍କୁ ଛାଡି ଦିଆଯାଇଥିଲା ଓ ସେଠାରୁ ସେ ବହୁତ କଷ୍ଟରେ ଫେରି ଆସିଥିବା କହନ୍ତି। ଦିନେ ପୋଟଳ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଜଳଧର ଅନ୍ୟ ଘରେ ମୂଲିଆ ଲାଗିବାକୁ ବାଧ୍ୟ ହୋଇଥିଲେ ଓ ରଜନା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିଲେ। ସେଠାରୁ ତାଙ୍କୁ ତଡି ଦିଆଗଲା, ସେଇ ଦିନରୁ ଖଡ଼ିଆଳ ଲୋୟର ଇନ୍ଦ୍ର ଜଳସେଚନ କାର୍ଯ୍ୟାଳୟରେ ପଡି ରହିଛନ୍ତି ଓ ନିଜ ହକ୍ ଦାବିରେ ସବୁଦିନ ସ୍ୱର ଉତ୍ତୋଳନ କରୁଛନ୍ତି କିନ୍ତୁ କେହି ମଧ୍ୟ ତାଙ୍କ ଦୁଃଖ ବୁଝୁନାହାନ୍ତି। କେବଳ ଜଳଧର ନୁହନ୍ତି, ଅନେକ ପରିବାର ଏପର୍ଯ୍ୟନ୍ତ ବିସ୍ଥାପିତ ସହାୟତା ପାଇ ନଥିବା ବେଳେ ଜାଲ୍ କାଗଜପତ୍ର କରି ଅନେକ ଲୋକ ସହାୟତା ଅର୍ଥ ମାରି ନେଇଥିବା ଅଭିଯୋଗ ହୋଇ ଆସୁଅଛି। ଏପରିକି ଏହାର ତଦନ୍ତ କରିବାକୁ ସରକାର ଚିଠି କରିଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଓ କିଛି ଦୁର୍ନୀତିଗସ୍ତ ଅଧିକାରୀଙ୍କ ପାଇଁ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଜଳଧର ବିସ୍ଥାପିତ ସମସ୍ୟାର ଗୋଟିଏ ମାତ୍ର ଉଦାହରଣ।

ଏନେଇ ଖଡ଼ିଆଳ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସ୍ପେସିଆଲ ଏଲଓ କୈଳାଶ ଦାସଙ୍କୁ ପଚାରିବାରୁ ଅଭିଯୋଗକୁ ଅସ୍ବୀକାର କରିବା ସହ ଜଳଧରଙ୍କ ସହମତିରେ ପରିବାର ଲୋକଙ୍କୁ ଚେକ୍ ଦିଆଯାଇଛି ଓ ଏହା ତାଙ୍କ ପରିବାରର ମାମଲା, ସେ କାହିଁକି ନିଜ ଭାଗ ପାଇ ନାହାଁନ୍ତି ସେ ଜାଣିଥିବେ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande