
ବଲାଙ୍ଗୀର,୧୫ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ରବିବାର ଦିନ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶାନ୍ତିପଡା ସ୍ଥିତ ତୈଳିକ ବୈଶ୍ୟ ସମାଜର କଲ୍ୟାଣ ମଣ୍ଡପରେ ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସଭାରେ ଜିଲ୍ଲାର ୧୪ଟି ବ୍ଲକ ଓ ନଗର କମିଟିର ପ୍ରମୁଖ ସଦସ୍ୟମାନେ ଯୋଗଦେଇ ସମାଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ବିଗତ ଦିନରେ କଲ୍ୟାଣ ମଣ୍ଡପ ନିର୍ମାଣ ନିର୍ମାଣ କାର୍ଯ୍ୟରେ ହୋଇଥିବା ଆୟ ଓ ବ୍ୟୟ ସମ୍ପର୍କରେ ସମ୍ପାଦକ ପ୍ରଦୀପ ସାହୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହା ଉପରେ ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ କଲ୍ୟାଣ ମଣ୍ଡପର ଅବଶିଷ୍ଟ କାର୍ଯ୍ୟଗୁଡିକୁ ଶୀଘ୍ର ସମ୍ପୁର୍ଣ୍ଣ କରିବା ପାଇଁ ସମସ୍ତଙ୍କ ମତାମତ ଗ୍ରହଣ କରାଯାଇଥିଲା। ସେହିପରି ପୁରୁଣା ଅଫିସ ଗୃହକୁ ଭାଂଗି ସମସ୍ତ ସାମଗ୍ରୀ କୁ ନୂତନ ଗୃହକୁ ସ୍ଥାନାନ୍ତର କରିବା, ଏକ ସୁନ୍ଦର ମୁଖ୍ୟଦ୍ୱାର ନିର୍ମାଣ କରି ନିଜସ୍ୱ କାମକୁ ଅଗ୍ରଗତି କରାଯିବା ପାଇଁ ସଭାରେ ସର୍ବସମ୍ମତି ପ୍ରକାଶ ପାଇଥିଲା। ଏହା ସହ କଲ୍ୟାଣ ମଣ୍ଡପର ଭିତର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଆଗକୁ ନେବା ସହ ଜିଲ୍ଲାର ୧୪ଟି ବ୍ଲକ କମିଟିକୁ ପୁନର୍ଗଠନ କରିବା ଏବଂ ଯୁବ ଓ ମହିଳା ଗୋଷ୍ଠୀ ବିଶାଳ ସଦସ୍ୟତା ଗଠନ କରି ସମଗ୍ର ଜିଲ୍ଲାରେ ତେଲି ସମାଜର ଭାଇ ଓ ଭଉଣୀମାନଙ୍କୁ ଏକତ୍ରିତ କରାଯିବାର ନିଷ୍ପତି ଗ୍ରହଣ କରାଯାଇଥିଲା। ସଭାରେ ଉପସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ବ୍ଲକର ସଭାପତି ଓ ସମ୍ପାଦକ ସହ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ବିକାଶ ସାହୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସମ୍ପାଦକ ଫିରୋଜ କୁମାର ସାହୁ ସଭାର ସମସ୍ତ ବ୍ୟବସ୍ଥାପନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ