
ଜେନେଭା, ୧୭ ମାର୍ଚ୍ଚ (ହି.ସ.)- ସଂଯୁକ୍ତ ରାଷ୍ଟ୍ରର ଏକ ସ୍ୱତନ୍ତ୍ର ଯାଂଚ୍ ଟିମ୍ କହିଛି ଯେ, ୨୦୨୫ ମସିହାରେ ଇରାନର କୁଖ୍ୟାତ ଏବିନ୍ ଜେଲ୍ ଉପରେ ଇସ୍ରାଏଲର ବିମାନ ଆକ୍ରମଣ ଏକ ଯୁଦ୍ଧ ଅପରାଧ ଶ୍ରେଣୀରେ ଆସିପାରେ । ତଦନ୍ତ ମୁଖ୍ୟ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ସାମ୍ପ୍ରତିକ ଆମେରିକା-ଇସ୍ରାଏଲୀ ଆକ୍ରମଣ ପରେ ଇରାନରେ ଆଭ୍ୟନ୍ତରୀଣ ଦମନ ଆହୁରି ବୃଦ୍ଧି ପାଇପାରେ ।
ସାରା ହୁସେନ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦରେ ଉପସ୍ଥାପିତ ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ଉପଲବ୍ଧ ପ୍ରମାଣକୁ ଆଧାର କରି ବିଶ୍ୱାସ କରିବାର ଯଥେଷ୍ଟ କାରଣ ଅଛି ଯେ ଇସ୍ରାଏଲ ୨୦୨୫ ମସିହାରେ ଏବିନ୍ ଜେଲ୍ ଉପରେ ଆକ୍ରମଣ କରି ଏକ ନାଗରିକ ସଂରଚନାକୁ ଟାର୍ଗେଟ କରିଥିଲା, ଯାହାକୁ ଯୁଦ୍ଧ ଅପରାଧ ବୋଲି ବିବେଚନା କରାଯାଇପାରିବ ।
ଇରାନୀ ଅଧିକାରୀଙ୍କ ଅନୁଯାୟୀ, ଜୁନ୍ ୨୦୨୫ରେ ତେହେରାନ ସ୍ଥିତ ଏବିନ୍ ଜେଲ୍ ଉପରେ ବିମାନ ଆକ୍ରମଣରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ତଦନ୍ତ ରିପୋର୍ଟ ଅନୁଯାୟୀ, ମୃତ୍ୟୁ ସଂଖ୍ୟା ପ୍ରାୟ ୮୦ ଥିଲା, ଯେଉଁଥିରେ ଜଣେ ଶିଶୁ ଏବଂ ଆଠ ଜଣ ମହିଳା ଥିଲେ । ପୀଡ଼ିତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ସାକ୍ଷାତକାର, ସାଟେଲାଇଟ୍ ଚିତ୍ର ଏବଂ ଅନ୍ୟାନ୍ୟ ଦସ୍ତାବିଜ ଆଧାରରେ ଏହି ନିଷ୍କର୍ଷ ବାହାର କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ