
ନୂଆଦିଲ୍ଲୀ, ୨୨ ମାର୍ଚ୍ଚ (ହି.ସ.)- ମତଦାତାଙ୍କ ଅନୁଭବକୁ ସୁଖଦ ଓ ସୁଗମ କରିବା ପାଇଁ ସର୍ବନିମ୍ନ ସୁବିଧା (ଏଏମଏଫ) ଏବଂ ମତଦାତା ସହାୟତାକୁ ନେଇ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ ଆୟୋଗ ।
ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଏହା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି ଯେ, ମୋଟ୍ ୨ ଲକ୍ଷ ୧୮ ହଜାର ୮୦୭ ମତଦାନ କେନ୍ଦ୍ରରେ ସମସ୍ତ ଆବଶ୍ୟକ ସୁବିଧା ଅନିର୍ବାର୍ଯ୍ୟ ରୂପେ ଉପଲବ୍ଧ ହେବ ।
ମତଦାନ କେନ୍ଦ୍ରରେ ଭିତିଭୂମିକୁ ସୁଦୃଢ଼ କରିବା ଉପରେ କମିଶନ ଗୁରୁତ୍ୱାରୋପ କରିଛନ୍ତି । ଏଥିରେ ପାନୀୟ ଜଳ, ଛାଇଯୁକ୍ତ ଅପେକ୍ଷା କ୍ଷେତ୍ର, ପାଣି ସୁବିଧା ସହିତ ଶୌଚାଳୟ, ପର୍ଯ୍ୟାପ୍ତ ଆଲୋକ, ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଉପଯୁକ୍ତ ସ୍ଲୋପ ସହିତ ରାମ୍ପ, ମାନକ ଭୋଟଦାନ କକ୍ଷ ଏବଂ ଉପଯୁକ୍ତ ସଂକେତକ ପ୍ରଦାନ ଅନ୍ତର୍ଭୁକ୍ତ । ମତଦାନ ଅଧିକାରୀମାନଙ୍କୁ ଧାଡ଼ିରେ ନିୟମିତ ବ୍ୟବଧାନରେ ବେଂଚ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯାହାଦ୍ୱାରା ଭୋଟରମାନେ ସେମାନଙ୍କ ପାଳି ପାଇଁ ଅପେକ୍ଷା କରି ବସିପାରିବେ ।
ଏହା ବ୍ୟତୀତ ଭୋଟରଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ, ସମସ୍ତ ମତଦାନ କେନ୍ଦ୍ରରେ ଚାରୋଟି ସମାନ ଏବଂ ମାନକକୃତ ଭୋଟର ସୁବିଧା ପୋଷ୍ଟର (ବିଏଫପି) ପ୍ରମୁଖ ଭାବରେ ପ୍ରଦର୍ଶିତ ହେବ, ଯେଉଁଥିରେ ମତଦାନ କେନ୍ଦ୍ରର ବିବରଣୀ, ପ୍ରାର୍ଥୀଙ୍କ ତାଲିକା, କ'ଣ କରିବେ ଏବଂ କ'ଣ କରିବେ ନାହିଁ, ବୈଧ ପରିଚୟ ପତ୍ରର ତାଲିକା ଏବଂ ଭୋଟ୍ ପ୍ରକ୍ରିୟା ସମ୍ପର୍କରେ ସୂଚନା ରହିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ