
ନୂଆଦିଲ୍ଲୀ, ୨୨ ମାର୍ଚ୍ଚ (ହି.ସ.)- କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ ମାର୍ଚ୍ଚ ୨୩ ରେ ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ବ୍ଲକ ପାଇଁ ନିଲାମର ସପ୍ତମ ପର୍ଯ୍ୟାୟ ଆରମ୍ଭ କରିବେ । ତାଙ୍କ ସହିତ ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ମଧ୍ୟ ଉପସ୍ଥିତ ରହିବେ ।
କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅନୁଯାୟୀ, ସରକାର ଏହି ଖଣିଜ ପଦାର୍ଥର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ, ୧୯୫୭ ରେ ଅଗଷ୍ଟ ୧୭, ୨୦୨୩ ରେ ସଂଶୋଧନ କରିଥିଲେ । ଏହି ସଂଶୋଧନ ଅନୁଯାୟୀ, ୨୪ଟି ଖଣିଜ ପଦାର୍ଥକୁ ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ସଂଶୋଧନ କେନ୍ଦ୍ର ସରକାରଙ୍କୁ ଏହି ଖଣିଜ ପଦାର୍ଥ ପାଇଁ ଖଣି ଲିଜ୍ ଏବଂ କମ୍ପୋଜିଟ୍ ଲାଇସେନ୍ସ ନିଲାମ କରିବାକୁ କ୍ଷମତା ପ୍ରଦାନ କରେ । ନିଲାମରୁ ପ୍ରାପ୍ତ ଅର୍ଥ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଯିବ ।
ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଛଅଟି ପର୍ଯ୍ୟାୟରେ ନିଲାମ କରି ୪୬ଟି ବ୍ଲକ ର ସଫଳ ଆବଂଟନ କରିଛି । ସପ୍ତମ ପର୍ଯ୍ୟାୟରେ, ବିଭିନ୍ନ ରାଜ୍ୟର ୧୯ଟି ବ୍ଲକ ନିଲାମ କରାଯିବ । ଏହି ବ୍ଲକଗୁଡ଼ିକ ସ୍ୱଚ୍ଛ ଶକ୍ତି, ଉନ୍ନତ ପ୍ରଯୁକ୍ତିବିଦ୍ୟା, ସାର ଏବଂ ରଣନୈତିକ ଉଦ୍ୟୋଗ ପାଇଁ ଜରୁରୀ ଖଣିଜ ପଦାର୍ଥ ସହିତ ଜଡ଼ିତ ।
ସରକାର ନିଲାମ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ଦ୍ରୁତ କରିବା ପାଇଁ ମଧ୍ୟ ସଂସ୍କାର ଆଣିଛନ୍ତି । ଖଣିଜ ପଦାର୍ଥ (ନିଲାମ) ଦ୍ୱିତୀୟ ସଂଶୋଧନ ନିୟମ, ୨୦୨୫ ଏବଂ ଖଣିଜ ପଦାର୍ଥ (ନିଲାମ) ସଂଶୋଧନ ନିୟମ, ୨୦୨୬ ଅନୁଯାୟୀ ନିଲାମ ପରବର୍ତୀ ପ୍ରକ୍ରିୟାଗୁଡ଼ିକୁ ସରଳୀକୃତ କରାଯାଇଛି । ଏହା ସହିତ, ବ୍ୟାଙ୍କ ଗ୍ୟାରେଂଟିର ବିକଳ୍ପ ଭାବରେ ବୀମା ସୁରକ୍ଷା ବଣ୍ଡର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ