ସିପିଆଇର “ଯୁଦ୍ଧ ନୁହେଁ- ଶାନ୍ତି ଚାହୁଁ” ଶୀର୍ଷକ ଆଲୋଚନାଚକ୍ର
ଭୁବନେଶ୍ୱର, ୨୩ ମାର୍ଚ୍ଚ (ହି.ସ.) ମାର୍ଚ୍ଚ ୨୩ ଶହୀଦ ଇ ଆଜମ୍ ଭଗତ ସିଂହଙ୍କ ଶହୀଦ ଦିବସକୁ ଦେଶବ୍ୟାପୀ ସାମ୍ରାଜ୍ୟବାଦ ବିରୋଧୀ ଦିବସ ଭାବେ ପାଳନ କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ପରିଷଦର ଆହ୍ୱାନକ୍ରମେ ଆଜି ସିିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ବିଶ୍ୱର ପ୍ରାକୃତିକ ସମ୍ପ
ସିପିଆଇର “ଯୁଦ୍ଧ ନୁହେଁ- ଶାନ୍ତି ଚାହୁଁ” ଶୀର୍ଷକ ଆଲୋଚନାଚକ୍ର


ଭୁବନେଶ୍ୱର, ୨୩ ମାର୍ଚ୍ଚ (ହି.ସ.) ମାର୍ଚ୍ଚ ୨୩ ଶହୀଦ ଇ ଆଜମ୍ ଭଗତ ସିଂହଙ୍କ ଶହୀଦ ଦିବସକୁ ଦେଶବ୍ୟାପୀ ସାମ୍ରାଜ୍ୟବାଦ ବିରୋଧୀ ଦିବସ ଭାବେ ପାଳନ କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ପରିଷଦର ଆହ୍ୱାନକ୍ରମେ ଆଜି ସିିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ବିଶ୍ୱର ପ୍ରାକୃତିକ ସମ୍ପଦ ଉପରେ ସାମ୍ରାଜ୍ୟବାଦୀ ଆମେରିକାର ଜବରଦଖଲ ଓ ଯୁଦ୍ଧ ନାମରେ ନରସଂହାର ବନ୍ଦ କରିବା ଦାବିରେ “ଯୁଦ୍ଧ ନୁହେଁ- ଶାନ୍ତି ଚାହୁଁ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଯୋଗଦେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସମ୍ପାଦକମଣ୍ଡଳୀ ସଭ୍ୟ କମ୍ରେଡ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ଆମେରିକାର ଏକଛତ୍ରବାଦୀ ଯୁଦ୍ଧଖୋର ମନୋବୃତ୍ତି ସମଗ୍ର ବିଶ୍ୱକୁ ଧ୍ୱଂସ ଆଡ଼କୁ ଠେଲି ଦେଉଛି ବୋଲି ମତବ୍ୟକ୍ତ କରିଥିଲେ। ଯୁଦ୍ଧ ଅବିଳମ୍ବେ ବନ୍ଦ କରିବା ପାଇଁ ମିଳିତ ଜାତିସଂଘ ଦୃଢ଼ ପଦକ୍ଷେପ ନେବା ସହ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା କରିବା, ଇରାନ, ଭେନେଜୁଏଲା ଭଳି ରାଷ୍ଟ୍ରର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ ବନ୍ଦ କରିବା, ଜନବିରୋଧୀ ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ବାତିଲ କରିବା ସହ ଭାରତର ବୈଦେଶିକ ନୀତିକୁ ବନ୍ଧା ପକାଇବା ଉଦ୍ୟମରୁ ଭାରତର ବିଜେପି ସରକାର ନିବୃତ ରହିବାକୁ ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ଦାବି କରିଥିଲେ। ଏହି ସାମରିକ ଆକ୍ରମଣ ଆନ୍ତର୍ଜାତୀୟ ଆଇନ ଓ ଜାତିସଂଘର ମୌଳିକ ନୀତିର ଗୁରୁତର ଉଲ୍ଲଙ୍ଘନ କରୁଛି। ପ୍ରଚୁର ତୈଳ ସମ୍ପଦକୁ ଆମେରିକା ଲୁଣ୍ଠନ କରିବା ପାଇଁ ଏକ ଘୃଣ୍ୟ ଏବଂ ବିପଦଜନକ ଷଡ଼ଯନ୍ତ୍ର ରଚନା କରିଛି ଓ ସମଗ୍ର ମାନବ ସଭ୍ୟତାକୁ ପରମାଣୁ ଯୁଦ୍ଧର ଭୟାବହତା ମଧ୍ୟକୁ ଠେଲିଦେବା ପାଇଁ ଉଦ୍ୟମ କରୁଛି ବୋଲି ସିପିଆଇ ପକ୍ଷରୁ ଅଭିଯୋଗ କରାଯାଇଛି। ଭାରତରେ ଗ୍ୟାସ୍ ଏବଂ ତୈଳର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ, ବିଶ୍ୱ ତଥା ଭାରତବର୍ଷର ଶାନ୍ତିପ୍ରେମୀ ଜନଗଣ ଆମେରିକା ସାମ୍ରାଜ୍ୟବାଦର ନରସଂହାର ତଥା ଅମାନବିକ କାର୍ଯ୍ୟକଳାପ ବିରୁଦ୍ଧରେ ରାଜରାସ୍ତାକୁ ଆସିବା ପାଇଁ ପାର୍ଟି ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇର ବରିଷ୍ଠ ନେତା, ପ୍ରାକ୍ତନ ରାଜ୍ୟ ସମ୍ପାଦକ ସାଥୀ ଆଶିଷ କାନୁନ୍ଗୋ, ବିଶ୍ୱ ଶିକ୍ଷକ ମହାସଂଘର ସଭାପତି ପ୍ର. ଅମିୟ କୁମାର ମହାନ୍ତି ପ୍ରମୁଖ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତିରେ ଭାରତର ଜନଗଣଙ୍କ ମୌଳିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଭୁବନେଶ୍ୱର ଜୋନ କମିଟି ସମ୍ପାଦକ କୈଳାସ ପୁହାଣ, ଅଧ୍ୟାପକ ଆଭାଷ ବରାଳ, ପ୍ରଫୁଲ୍ଲ ତ୍ରିପାଠୀ, ରମେଶ ପ୍ରଧାନ, ନମିତା ସାହୁ, ବିଶ୍ୱଜିତ୍ ନାୟକ, ଶଙ୍କର୍ଷଣ ବାରିକ, ନୃସିଂହ ବେହେରା, ଅରକ୍ଷିତ ବେହେରା, ସୁରେନ୍ଦ୍ର ବେହେରା, ଅଶୋକ ସାହୁ, ପପୁ ରାଉତ, ନୀଳମଣି ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande