
ଜୟପୁର, ୨୩ ମାର୍ଚ୍ଚ (ହି.ସ.)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜିଲ୍ଲା କମିଟି, ଏଆଇଟିୟୁସି, ଏଆଇଓ୍ଵାଇଏଫ୍, ଉତ୍କଳ ମହିଳା ସମିତି ପକ୍ଷରୁ ମିଳିତ ଭାବେ ଶହୀଦ -ଏ-ଆଜମ କମ୍ରେଡ୍ ଭଗତ ସିଂହ, କମ୍ରେଡ୍ ରାଜଗୁରୁ ଓ କମ୍ରେଡ୍ ସୁଖ ଦେବଙ୍କ ଶହୀଦ ଦିବସ ପାଳନ ସହ ସାମ୍ରାଜ୍ୟବାଦ ବିରୋଧୀ ଦିବସ ଭାଵେ ପାଳିତ ହୋଇଅଛି। ପୂର୍ଵାହ୍ନରେ ଶ୍ରମିକ ଭବନ ଠାରୁ ଏକ ଶୋଭାଯାତ୍ରା ବାହାରି ଜୟପୁର ସହର ପରିକ୍ରମା କରି ଶହୀଦ ଲକ୍ଷ୍ମଣ ନାଏକଙ୍କ ସମେତ ଶହୀଦ ମାନଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରି ଶହୀଦ ସ୍ତମ୍ଭ ନିକଟରେ ଏକ ସଭା ଆୟୋଜିତ ହୋଇଥିଲା। କମ୍ରେଡ୍ ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସିପିଆଇ ରାଜ୍ଯ ସହ ସମ୍ପାଦକ ଜୟନ୍ତ ଦାସ ଉଦବୋଧନ ଦେଇ ଶହୀଦ-ଏ-ଆଜମ କମ୍ରେଡ୍ ଭଗତ ସିଂହ, କମ୍ରେଡ୍ ରାଜଗୁରୁ ଓ କମ୍ରେଡ୍ ସୁଖ ଦେବ ବ୍ରିଟିଶ ଉପନିବେଶଵାଦୀ ଭିତ୍ତିକ ସାମ୍ରାଜ୍ଯଵାଦର ଶୋଷଣ, କଷଣ ଓ ଶାସନ କବଳରୁ ଭାରତ ସ୍ଵାଧିନତା ଓ ଜନଗଣଙ୍କ ସାମାଜିକ ଅର୍ଥନୈତିକ ମୁକ୍ତି ସଂଘର୍ଷରେ ଶହୀଦ ହୋଇଥିଲେ। ଆମେରିକାର ଯୈ।ନ ବ୍ୟଭିଚାରୀ ଜେଫ୍ରି ଏପଷ୍ଟିନ୍ ଫାଇଲରେ ନାମିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପଷ୍ଟିନ୍ ଫାଇଲରେ ନିଜ ଗୁପ୍ତ ରହସ୍ୟ ଉନ୍ମୋଚନ ଭୟରେ ଆମେରିକା ସହ ବାଣିଜ୍ୟ ଚୁକ୍ତିରେ ଭାରତର କୃଷି, କୃଷକ, ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ଓ ଶ୍ରମିକ ସ୍ଵାର୍ଥ ବିରୋଧରେ ଦୈଶର ୧୪୦କୋଟି ଲୋକଙ୍କୁ ୧୮ ପ୍ରତିଶତ ତାରିଫ୍ ନାମରେ ଲୁଣ୍ଠନ ପାଇଁ ସମ୍ମତି ଦେଇଛନ୍ତି। ସେହିଭଳି ୟୁରୋପୀୟ ମୁକ୍ତ ବାଣିଜ୍ୟ ଚୁକ୍ତିରେ ମଧ୍ୟ ଆମ ବଜାର ଵିଦେଶୀ ବେପାରୀଙ୍କ ଦ୍ଵାରା ଲୁଣ୍ଠନ ପାଇଁ ସମର୍ପଣ କରିଛନ୍ତି। ଅବିଳମ୍ବେ ଏହି ଉପନିବେଶବାଦୀ ଚୁକ୍ତି ବାତିଲ ପାଇଁ ଦାବି କରାଯାଇଛି। ଆମେରିକା ଓ ଇସ୍ରାଏଲ ମିଶି ପାଲେଷ୍ଟାଇନରେ ନରସଂହାର କଲେ, ଏଥିରେ ପାଲେଷ୍ଟାଇନ ଜନଗଣଙ୍କ ସପକ୍ଷରେ ବାହାରିବାରୁ ଇରାନ ଉପରେ ଯୁଦ୍ଧର ଆତଙ୍କ ସହ ଧ୍ଵଂସ ଲୀଳା ଚଳାଇଛନ୍ତି ଆମେରିକା ଓ ଇସ୍ରାଏଲ। ଏହି ସାମ୍ରାଜ୍ୟଵାଦୀ ଯୁଦ୍ଧ ଓ ନରସଂହାର ବନ୍ଦ ପାଇଁ ଦାବି କରାଯାଇଛି। ଏପଷ୍ଟିନ ଫାଇଲରେ ନାମିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ନିଜ ପଦରୁ ଇସ୍ତଫା ଦେଇ ଏପଷ୍ଟିନ୍ ଫାଇଲ ସମ୍ପର୍କୀୟ ତଥ୍ୟ ଉପରେ ନିରପେକ୍ଷ ତଦନ୍ତ ପାଇଁ ଦାବି ସହ ଏହି ଫାଇଲରେ ନାମିତ ଅନୀଲ ଆମ୍ଵାନୀଙ୍କ ସମେତ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କୁ ଗିରଫ କରିବାକୁ ଦାବି କରାଯାଇଛି।
ଏହି ସାମ୍ରାଜ୍ୟବାଦ ବିରୋଧୀ ଦିବସରେ ସିପିଆଇ ରାଜ୍ଯ କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ୟ ପ୍ରମୋଦ ମହାନ୍ତି, ସିପିଆଇ ଜିଲ୍ଲା ସମ୍ପାଦକ ରାମ କୃଷ୍ଣ ଦାଶ, ଅଖିଳ ଭାରତ ଯୁବ ସଂଘ ରାଜ୍ଯ ସହ ସମ୍ପାଦକ କୁମର ଜାନୀ, ସିପିଆଇ ଜିଲ୍ଲା ସହ ସମ୍ପାଦକ ଵୁଦୁରା ଵଡ଼ନାୟକ, କୁରୁମ ନାଥ ଭତ୍ରା, ପୁର୍ଣ୍ଣଚନ୍ଦ୍ର ସୁର, ତିରୁପତି ଭତ୍ରା, ବଳରାମ ନାଏକ, ମାଧବ ଜାନୀ, ସୁନୀତା ନାଗ, ନନ୍ଦ ହରିଜନ, ରୁପଧର ପୁଜାରୀ ପ୍ରମୁଖ ଉଦବୋଧନ ଦେଇଥିଲେ। ଏହାପରେ ଅପରାହ୍ନରେ ସିପିଆଇ ର କୋରାପୁଟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଅଛି।
ହିନ୍ଦୁସ୍ଥାନ ସମାଚାର / ପିକେପି