
ମାଲକାନଗିରି,୨୩ ମାର୍ଚ୍ଚ(ହି.ସ.) – ଜଣେ ବରିଷ୍ଟ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ ରେ ରହୁଛନ୍ତି କନିଷ୍ଠ ଯନ୍ତ୍ରୀ। ଏହା ସହ ସୁରକ୍ଷା ବ୍ୟବସ୍ଥା ପାଇଁ ଏହି କ୍ୱାଟରରେ ଖର୍ଚ୍ଚ କରୁଛନ୍ତି ଲକ୍ଷାଧିକ ଟଙ୍କା। କିଛି ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସଦରରେ ଥିବା ଆଇଟିଡିଏ କଲୋନୀରୁ। ଏହି କଲୋନୀରେ ରହିଛି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସରକାରୀ ବାସଭବନ। ତେବେ ଏହି ସରକାରୀ ବାସଭବନରେ ପୂର୍ବରୁ ଅନେକ ଜିଲ୍ଲା ମଙ୍ଗଳ ଅଧିକାରୀ ରହୁଥିବା ବେଳେ ଏହାର ଚାରି ପାର୍ଶ୍ୱରେ ସୁରକ୍ଷା ପାଚେରି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି। ବର୍ତମାନ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ୟ ସରକାରୀ କ୍ୱାର୍ଟର୍ ରେ ରହୁ ଥିବାରୁ ଦିର୍ଘ ଦିନ ହବ ବାସଭବନ ଟି ଖାଲି ପଡି ଥିଲା। ଆଉ ଗତ କିଛି ଦିନ ହବ କେହି ଜଣେ ଏହି କ୍ୱାର୍ଟର୍ ରେ ରହୁ ଥିବା ସହ ଏହାର ନିରନ୍ତର ମରାମତି ଚାଲିଥିବା ଦେଖିବାକୁ ମିଳିଛି। ତେବେ ମରାମତି ସହ ଏହି ସରକାରୀ କ୍ୱାଟର ଚାରି ପାଖରେ ଥିବା ପାଚେରିର ଉଚ୍ଚତା ହଟାତ ବଢାଇ ଦିଆଯାଇଛି। ବର୍ଷ ବର୍ଷ ଧରି ଏହି ସରକାରୀ କ୍ୱାଟରରେ ଅନେକ ଅଧିକାରୀ ରହି ଆସୁଥିଲେ ହେଁ କେବେ ଏହାର ପାଚେରିର ଉଚ୍ଛତା ବୃଦ୍ଧି ଆବଶ୍ୟକ ହୋଇ ନଥିବା ବେଳେ ବର୍ତମାନ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ୟ ଏକ କ୍ୱାଟରରେ ରହିଥିଲେ ହେଁ ହଟାତ ଏହି ନିର୍ମାଣ ଓ ପାଚେରିର ଉଚତା ବୃଦ୍ଧି କାର୍ଯ୍ୟ କାହିଁକି ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ କେବଳ ପାଚେରି ଉଚ୍ଚତା ନୁହେ ବରଂ ଏହି ବଡ ବଡ ପାଚେରି ଉପରେ ସୁରକ୍ଷାକୁ ଆହୁରି ଅଧିକ କରିବା ପାଇଁ କାନ୍ଥ ଉପରେ ପୁଣି ଗୋଲେଇ ଲୁହା ତାର ବୁଲିବା ପାଇଁ ବ୍ୟବସ୍ଥା କରାଯାଇଛି। ବାହାରୁ ଦେଖିଲେ ଲାଗୁଛି କେହି ଜଣେ ପୁଲିସର ବରିଷ୍ଠ ଅଧିକାରୀ କିମ୍ବା ଗୁଇନ୍ଦା ଅଧିକାରୀ ଏଠାରେ ବସବାସ କରୁଥିବେ। ତେବେ ଅଧିକ ବୁଝିବା ପରେ ଜଣା ପଡିଲା, ଆଇଟିଡିଏର କେହି ଜଣେ କନିଷ୍ଠ ଯନ୍ତ୍ରୀ ଏଠାରେ ବସବାସ କରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ଟି କନିଷ୍ଠ ଯନ୍ତ୍ରୀଙ୍କ ନାଁ ରେ କେମିତି ଆଲଟ୍ ହେଲା। ଯଦି ହେଲା ତେବେ କ୍ୱାର୍ଟରଟିକୁ ଏମିତି ଦୁର୍ଗିକରଣ କରିବାର କାରଣ କଣ। କ୍ୱାର୍ଟର୍ କାନ୍ଥ ଉଚ୍ଚତା ତିନି ତିନି ଥର ବଢା ଯିବାର ଆବଶ୍ୟକତା କଣ ରହିଛିବୋଲି ପ୍ରଶ୍ନ ଉଠିଛି। ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କେମିତି ସରକା ରୀ ଅଧିକାରୀ ବର୍ଗର କ୍ୱାର୍ଟର୍ ଆଲଟ ହେଲା ଏବଂ କିଏ କ୍ୱାର୍ଟର୍ ଦୁର୍ଗିକରଣ କରିବାର ଅନୁମତି ଦେଲା ତାହାକୁ ନେଇ ସ୍ରୁଷ୍ଟି ହୋଇଥିବା ପ୍ରଶ୍ନକୁ ନେଇ ଆମେ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ପିଏଆଇଟିଡିଏ ହଳଧର ଶବରଙ୍କୁ ଯୋଗାଯୋଗ କରିଥିଲୁ। ଏନେଇ ସେ ପ୍ରକାଶ କରିଛନ୍ତି ଯେ, ଏହି କ୍ୱାଟର ଆଲଟ ସେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ହୋଇଛି। କିଏ ଏହା କରିଛି ତାହାକୁ ଯାଂଚ କରିବି। ତେବେ ପାଚେରି ବୃଦ୍ଧି ବିଷୟରେ ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ, ଅଂଚଳରେ ଅସମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବେଶି ହେଉଥିବାରୁ ଏପରି କରାଯାଇଛି। ଏହି ଅଂଚଳରେ ଅନେକ କ୍ୱାଟର ରହିଥିବାବେଳେ ଏହି କ୍ୱାଟରର ସୁରକ୍ଷା ବ୍ୟବସ୍ଥା ଉପରେ ହଟାତ ଏତେ ଗୁରୁତ୍ୱ କାହିଁକି ଦିଆଗଲା ଓ କିପରି ସରକାରୀ ଅର୍ଥକୁ ଖର୍ଚ୍ଚ କରାଯାଉଛି ତାହାକୁ ନେଇ ତଦନ୍ତ ହେଲେ ଅନେକ ରହସ୍ୟ ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ