
ସମ୍ବଲପୁର,୨୩ ମାର୍ଚ୍ଚ(ହି.ସ.) – ଚୈତ୍ର ନବରାତ୍ରିର ଚତୁର୍ଥ ଦିନରେ ସମ୍ବଲପୁରର ଶ୍ରୀଶ୍ରୀ ସମଲେଶ୍ୱରୀ ମନ୍ଦିର ପରିସରରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଏକ ଆକର୍ଷଣୀୟ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପରିବେଷିତ ହୋଇଯାଇଛି। ଗୁରୁ ପ୍ରଫୁଲ୍ଲ ମିତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସମ୍ବଲପୁରର ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଭୂତି ପଟ୍ଟନାୟକ, ସୁପ୍ରଭା ପାଢ଼ୀ, ଏମ୍. ଶାନ୍ତିସୁଧା ସହ ଆକାଶବାଣୀ ସ୍ୱୀକୃତ କଳାକାର ଦିଲୀପ ସୁନା, ରବୀନ୍ଦ୍ର ପଣ୍ଡା, ନିର୍ମଳ ଚାନ୍ଦ, ମାନସ ଷଡ଼ଙ୍ଗୀ, ଶୁଭକାନ୍ତ ପଟ୍ଟନାୟକ, ମଳୟ ଦାଶ, କଳ୍ପନା ପତି, କଲ୍ୟାଣୀ ରଥ, ଅର୍ପିତା ବେହେରା, ରଞ୍ଜିତ ଚନ୍ଦ୍ର, ବିଶ୍ୱଜିତ ନାଗ, ବେଦ ମତି, ଭୂମି ସୂତା ଓ ଲୋପାମୁଦ୍ରା ବାଗ ଭଜନ ପରିବେଷଣ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ “ଜୟ ମାତ ସମଲାଇ” ଭଜନ ସମବେତ କଣ୍ଠରେ ପରିବେଷିତ ହୋଇଥିଲା। ପରେ ସମ୍ବଲପୁରୀ, ଓଡ଼ିଆ ଓ ହିନ୍ଦୀ ଭାଷାର ବିଭିନ୍ନ ଭକ୍ତିମୟ ସଙ୍ଗୀତ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ସଙ୍ଗୀତର ମଧୁର ଧ୍ୱନିରେ ପରିବେଶ ଶାନ୍ତ, ଆଧ୍ୟାତ୍ମିକ ଓ ଭକ୍ତିମୟ ରହିଥିଲା।
ମଂଚ ପରିଚାଳନା ଏମ୍.ଆର୍.କେ. ରାଓ କରିଥିଲେ। ବିଭିନ୍ନ ବାଦ୍ୟଯନ୍ତ୍ରରେ ଶିଳ୍ପୀମାନଙ୍କ ସହଯୋଗ ଉଲ୍ଲେଖନୀୟ ରହିଥିଲା। ହାର୍ମୋନିଅମ୍ରେ ପ୍ରଫୁଲ୍ଲ ମିତ୍ର, କିବୋର୍ଡରେ ଦେବାଶିଷ ପାଢ଼ୀ, ତବଲାରେ ସୁରେନ୍ଦ୍ରନାଥ ବାଗ, ଢୋଲରେ କୃଷ୍ଣ ଚନ୍ଦ୍ର ବାଗ, ନିଶାନରେ ଖିତିଶ ଚନ୍ଦ୍ର ବାଗ, ତାସାରେ ସୁମିତ ପ୍ରଧାନ, ଗିଟାରରେ ପ୍ରମିତ କୁମାର ମିତ୍ର ଏବଂ ପ୍ୟାଡ୍ରେ ଭାଗୀରଥୀ ସିଂହଦେଓ ନିଜନିଜ କଳାଦକ୍ଷତା ପ୍ରଦର୍ଶନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମଲେଇ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ଉଦଘାଟନ କରିଥିଲେ ଏବଂ ତାଙ୍କ ସହିତ ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା ଓ ଦେବ କୁମାର ଅଜମେରୀଆ ଉପସ୍ଥିତ ଥିଲେ। ମୋହନ ସାହୁ, ଶ୍ୟାମ ସୁନ୍ଦର ଧର, ତ୍ରିଲୋଚନ ତ୍ରିପାଠୀ, ପଦ୍ମିନୀ ଦୋରାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ