

ସମ୍ବଲପୁର,୨୩ ମାର୍ଚ୍ଚ(ହି.ସ.) – ଚଳିତ ବର୍ଷ ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ଓ ସମନ୍ୱିତ ଉତ୍ସବ ନିଶ୍ଚିତ କରିବା ପାଇଁ ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଏକ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉତରାଂଚଳ ରେଞ୍ଜ ପୋଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରିଙ୍କ ସମେତ ଶାନ୍ତି ଓ ସମନ୍ୱୟ କମିଟି ସଦସ୍ୟମାନେ, ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଏବଂ ସମ୍ବଲପୁର ଅଂଚଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ ଅନୁଷ୍ଠାନର କମିଟି ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଚଳିତ ବର୍ଷ ଜିଲ୍ଲାରେ ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ଏବଂ ଶୋଭାଯାତ୍ରା ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ଶୋଭାଯାତ୍ରା ସମୟରେ ନିରବଛିନ୍ନ ବିଦ୍ୟୁତ ଯୋଗାଣପାଇଁ ଟିପିଡବ୍ଲୁଓଡିଏଲ୍ କୁ କୁହାଯାଇଛି। ସେହିପରି ଡ୍ରୋନ ଓ ସିସିଟିଭି ମାଧ୍ୟମରେ ସହରର ଉତେଜନା ପ୍ରବଣ ଓ ସମସ୍ତ ସ୍ଥାନକୁ ପୁଙ୍ଖାନୁପୁଙ୍ଖ ଭାବେ ନିରୀକ୍ଷଣ କରାଯିବ। ସହରର ବିଭିନ୍ନ ରାସ୍ତାରେ ଥିବା ଖାଲଖମାକୁ ଯୁଦ୍ଧ କାଳୀନ ଭିତିରେ ମରାମତି କରାଯିବାକୁ ମଧ୍ୟ କୁହାଯାଇଛି।
ଆଇଜି ଶ୍ରୀ ଲାଲ ଗତବର୍ଷ ଠୁ ଚଳିତବର୍ଷ ଏହି ଉତ୍ସବ ଆହୁରି କିପରି ଆନଦ ଉଲ୍ଲାସର ସହ ପାଳନ ହେବ ସେ ଦିଗରେ ପ୍ରଚେଷ୍ଟା କରିବାକୁ ସମସ୍ତ କମିଟି ସଦସ୍ୟଙ୍କୁ କହିଥିଲେ। ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ବୋନ୍ଦର ନିଜ ବକ୍ତବ୍ୟରେ ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାର ସହ ପାଳନ କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ସଂପୃକ୍ତ ଅଧିକାରୀମାନଙ୍କୁ ନିଜ ନିଜ ଦାୟୀତ୍ୱ ସଠିକ୍ ଭାବେ ପରିଚାଳନା କରିବାକୁ କହିଥିଲେ। ମୁଖ୍ୟତଃ ସେ, ପଦଯାତ୍ରା କିମ୍ବା ବାଇକ୍ ରାଲି ସମୟରେ ସମ୍ବଲପୁର ସହରରେ ଅଧିକ ଜନସମାଗମ ହେବାକୁ ଥିବା ଯୋଗୁଁ ପରିମଳ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରିବା ସହିତ ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ପର୍ଯ୍ୟାପ୍ତ ପରିମାଣର ପାନୀୟଜଳ ଏବଂ ଚିକିତ୍ସା ସୁବିଧାର ବ୍ୟବସ୍ଥା କରିବାକୁ କହିଥିଲେ। ଟ୍ରାଫିକ୍ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣକୁ କଡ଼ାକଡ଼ି ଲାଗୁ କରିବା ପାଇଁ ପୁଲିସ ବିଭାଗ ସହ ସମନ୍ୱୟ ରକ୍ଷା କରାଯିବ। ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭାମୂ ଶାନ୍ତି ଶୃଙ୍ଖଳାର ସହ ଏହି ଉତ୍ସବ ପାଳନ କରିବାକୁ ପୋଲିସ ବିଭାଗ ପକ୍ଷରୁ ସବୁ ପ୍ରକାର ସହଯୋଗ ଦିଆଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଗତବର୍ଷ ଭଳି ଆନଦ ଉଲ୍ଲାସର ସହ ସମସ୍ତ କମିଟି ସଦସ୍ୟମାନେ ନିଜ ନିଜ ମଧ୍ୟରେ ଉତମ ସମନ୍ୱୟ ରଖିବା ପାଇଁ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ