
ବଲାଙ୍ଗିର, ୨୩ ମାର୍ଚ୍ଚ (ହି.ସ.)- ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍ଏସି କ୍ଲଷ୍ଟରର ନବମ ତଥା ଚଳିତ ଶିକ୍ଷା ବର୍ଷର ଅନ୍ତିମ କ୍ଲଷ୍ଟର ସ୍ତରୀୟ ବୈଠକ ତୁଷୁରା ବାଳକ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଭାନୁମତୀ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଧନ କର୍ମୀ ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ତଥା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ କହିଥିଲେ - ପ୍ରବେଶ ଉତ୍ସବ ହେଉଛି ଜ୍ଞାନ, ସଂସ୍କାର ଓ ସ୍ଵପ୍ନର ପ୍ରଥମ ଦିନ । ଏହି ଦିନଟିକୁ ସ୍ମରଣୀୟ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଡାଏଟ୍ ର ଅଧ୍ଯାପିକା ତଥା ଗୁଡଭେଲା ବ୍ଲକ୍ କୋଅର୍ଡିନେଟର୍ ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟା ମିତ୍ରା ଯୋଗଦେଇ ପଢିବା ଗଢିବା ଓଡ଼ିଶାର ସଫଳ ରୂପାୟନ ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ପ୍ରଧାନ ଶିକ୍ଷକ ମୋହନ ଭୋଇ, ଦୁତିଆ ସେଠ, ପ୍ରମୋଦ କୁମାର ନାଏକ, ଚନ୍ଦ୍ରଧ୍ବଜ ମେହେର ତଥା ସହକାରୀ ଶିକ୍ଷକ ପ୍ରଭାତ କିଶୋର ରାଏ, ପୂରନ ମେହେର, ସୁଧାଂଶୁ ରଞ୍ଜନ ସାହୁ ଏବଂ ଶିକ୍ଷୟିତ୍ରୀ ମିଲି ପୁରୋହିତ, ଆକାଂକ୍ଷା ରାଣୀ ଯୋଶୀ, ତପସ୍ଵିନୀ ରଣା, ଦୁର୍ଗାମଣି ମହାନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଉକ୍ତ ବୈଠକରେ ଗତ ଆଠଟି ବୈଠକର ସିଂହାବଲୋକନ କରାଯାଇଥିଲା। ତତ୍ ସହିତ ଶିକ୍ଷଣ ସୋପାନ ରେଜିଷ୍ଟର, ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ ର ଫଳାଫଳ ବିଶ୍ଳେଷଣ ଏବଂ ପରବର୍ତ୍ତୀ ପଦକ୍ଷେପ, ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ, ଶିକ୍ଷଣ ପ୍ରସ୍ତୁତି କାର୍ଯ୍ୟକ୍ରମ, ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା, ପ୍ରବେଶ ଉତ୍ସବ, ଖଡି ଛୁଆଁ ଏବଂ ଗ୍ରୀଷ୍ମ କାଳୀନ ଶିକ୍ଷଣ କାର୍ଯ୍ୟକ୍ରମ ତଥା ମୁଁ ଆଉ କ'ଣ ଶିଖିବାକୁ ଚାହୁଁଛି ପ୍ରଭୃତି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ