


ସମ୍ବଲପୁର,୨୩ ମାର୍ଚ୍ଚ(ହି.ସ.) – ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନାଂଚଳ ଅନ୍ତର୍ଗତ ଜମନକିରା ରେଞ୍ଜରଙ୍କୁ ହଠାତ୍ ନିଳମ୍ବନ କରାଯିବାର ସଠିକ୍ କାରଣ ଜଣା ପଡିନଥିବାବେଳେ ଏବେ ମିଥ୍ୟା ଅଭିଯୋଗ କ୍ରମେ ତାଙ୍କୁ ନିଳମ୍ବିତ କରାଯାଇଥିବା ସେ ସଫେଇ ଦେଇଛନ୍ତି। ସୂଚନାଯୋଗ୍ୟ ଗତ ମାସ ୨୫ ତାରିଖରେ ଆୟୋଜିତ ‘ଆମ ଜଙ୍ଗଲ ଯୋଜନା'ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏକ ଦୁଇଜଣିଆ ପରିଦର୍ଶକ ଟିମ୍ ଭୋପାଳରୁ ଆସିଥିଲେ। କାର୍ଯ୍ୟକ୍ରମ ଶେଷରେ ରେଞ୍ଜର ଲକ୍ଷ୍ମୀନାରାୟଣ ନାଏକଙ୍କୁ ଏଠାରେ ରହିବା ଓ ଖାଇବା ପିଇବା ପାଇଁ ଭିଆଇପି ସୁବିଧା ଯୋଗାଇ ଦେବାକୁ ଦୁଇ ସଦସ୍ୟ କହିଥିଲେ। ମାତ୍ର ଏଠାରେ ବଡ଼ ସହର ଭଳି ସେପରି କୌଣସି ସୁବିଧା ନାହିଁ ବୋଲି ବିନମ୍ର ଭାବେ ରେଞ୍ଜର ଶ୍ରୀ ନାଏକ ସେମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମ ପରେ ଏହି ଟିମ୍ ଭୁବନେଶ୍ୱର ସ୍ଥିତ ପିସିସିଏଫ୍ କାର୍ଯ୍ୟାଳୟରେ ପହଂଚି ରୁଗ୍ଣ ଆତିଥେୟତା ଓ ର୍ଦୁବ୍ୟବହାର ସମ୍ପର୍କରେ ଶ୍ରୀ ନାଏକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ କି ପ୍ରକାରର ସୁବିଧା ସୁଯୋଗ ରହିଛି ତାହା ତଦନ୍ତ ନକରି ଅତି ତରବରିଆ ଭାବେ ରେଞ୍ଜର ଶ୍ରୀ ନାଏକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଏପରିକି ରେଞ୍ଜର ଶ୍ରୀ ନାଏକ କାର୍ଯ୍ୟରୁ ନିଳମ୍ବିତ ହୋଇଥିବା କିଛି ଗଣମାଧ୍ୟମକୁ ଡିଏଫ୍ଓ କହିଥିଲେ ମଧ୍ୟ କାରଣ ପଚାରିବାରୁ ଏହାକୁ ଏଡ଼ାଇ ଯାଇଥିଲେ। ଏବେ ପ୍ରଶ୍ନ ଉଠୁଛି, ଆତିଥେୟତା ଓ ଚାଟୁକାରିତା ଭଳି ଛୋଟଛୋଟ ତ୍ରୃଟିକୁ ନେଇ ଯଦି ବିଭାଗ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ସିଧାସଳଖ ନିଲମ୍ବନ କରିପାରୁଛି ତେବେ ନିଜ ପଦପଦବୀର ପଦମର୍ଯ୍ୟାଦା ନରଖିବା ଓ କାର୍ଯ୍ୟ ଖିଲାଫୀଙ୍କ ପାଇଁ ବିଭାଗ ଅଦ୍ଯାବଧି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜମନକିରା ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ