



ସମ୍ବଲପୁର, ୨୩, ମାର୍ଚ୍ଚ (ହି.ସ.) ସୋମବାର ପ୍ରତ୍ୟୁଷରେ ସମ୍ବଲପୁର ଜିଲ୍ଲାର ୩ଟି ଜେଲ୍ରେ ପୋଲିସ ଅଚାନକ ଚଢ଼ାଉ କରିଛି । ବିଭିନ୍ନ ଛୋଟମୋଟ ମାମଲାରେ ଛନ୍ଦି ହୋଇ ସ୍ୱଳ୍ପ ଦିନ ପାଇଁ ଜେଲକୁ ଯାଇ ପଦାକୁ ଫେରିଥିବା ବ୍ଯକ୍ତି ବିଶେଷ ଜେଲ ଅଭିଜ୍ଞତାକୁ ନେଇ ଯେପରି ବଖାଣୁଛନ୍ତି ତାହା ସାଧାରଣ ବର୍ଗ ଠୁଁ ନେଇ ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରାଇଛି । ଜେଲ ଭିତରେ ରହି ବଡବ଼ବଡ଼ ଖ୍ୟାତ ମାଫିଆ ମାନେ ମୋବାଇଲରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା, ମାରଣାସ୍ତ୍ର ରଖିବା, ମଦପାଣି ଠୁଁ ଆରମ୍ଭ କରି ବିଭିନ୍ନ ନିଶା ସାମଗ୍ରୀ ସେବନ ଭଳି ବାରମ୍ବାର ଜେଲର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କିତ କଳୁଷିତ ଆରୋପକୁ ନେଇ ସୋମବାର ଦିନ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ କାଳୀନ ସମ୍ବଲପୁର ଜିଲ୍ଲା ମଣ୍ଡଳ କାରାଗାର ସମେତ କୁଚିଣ୍ଡା ଓ ରେଢ଼ାଖୋଲ ଜେଲରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ
ସମ୍ବଲପୁର ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଜେଲ୍ ଭିତରେ ପଶି ପ୍ରତ୍ୟେକ ସେଲ୍ ଏବଂ ପ୍ରତ୍ୟେକ ଓ୍ୱାର୍ଡକୁ ତନତନ କରି ଯାଞ୍ଚ କରିଥିଲେ ମଧ୍ୟ କୌଣସି ବେଆଇନ ନିଶା ସାମଗ୍ରୀ, ଆପତ୍ତି ଜନକ ଜିନିଷ ଏପରିକି ଛୋଟମୋଟ ମୋବାଇଲ ଖଣ୍ଡିଏ ବି ପାଇନଥିଲେ ବୋଲି ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ଗଣମାଧ୍ୟମକୁ କହିଛନ୍ତି ।
। ଏହି ଚଢାଉ ବେଳେ ପୋଲିସ ଜେଲର ସମସ୍ତ ଓ୍ବାର୍ଡ, ଲାଟ୍ରିନ ଓ ସମ୍ପୂର୍ଣ୍ଣ ପରିସରକୁ ଯାଞ୍ଚ କରିଥିଲେ । ସମ୍ବଲପୁର ଜିଲ୍ଲା ମଣ୍ଡଳ କାରାଗାରରେ ଚଢାଉରେ ସମ୍ବଲପୁର ସଦର ଉପଜିଲ୍ଲାପାଳ, ୩ ଜଣ ଅତିରିକ୍ତ ଏସପି, ଜଣେ ଏସଡିପିଓ, ସହରର ୫ଟି ଥାନାର ନିରୀକ୍ଷକ, ୧୮ ଜଣ ସବ ଇନିସପେକ୍ଟରଙ୍କ ସହ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ଚଢାଉରେ ସାମିଲ ଥିଲେ।
ସେହିପରି କୁଚିଣ୍ଡା ଉପକାରାଗାରରେ ମାଜିଷ୍ଟ୍ରେଟ ଲୋଚନ ଶବରଙ୍କ ଉପସ୍ଥିତିରେ ତଥା ଏସ୍ଡ଼ିପିଓଙ୍କ ନେତୃତ୍ୱରେ ପୋଲିସ ଚଢ଼ାଉ କରି ତନତନ କରି ଯାଞ୍ଚ କରିଥିଲେ ମଧ୍ୟ କୌଣସି ବେଆଇନ ନିଶା ଓ ଆପତ୍ତି ଜନକ ସାମଗ୍ରୀ ମିଳିନାହିଁ ବୋଲି କହିଛନ୍ତି ଜେଲର ଚିନ୍ମୟ ପାତ୍ର। ତେବେ ବର୍ଷ ବର୍ଷ ଧରି ଜେଲ୍ ଭିତରେ ରହୁଥିବା ତଥାକଥିତ କିଛି ମାଫିଆ ମାନେ ସବୁଦିନ ନହେଲେ ବି ନିୟମିତ ବ୍ୟବଧାନରେ ମଦ, ଗଞ୍ଜେଇ ଓ ଗୁଟଖା ଖାଇ ଆସୁଥିଲେ ମଧ୍ୟ ଆଜିର ଚଢ଼ାଉ ବେଳେ ପୋଲିସର ସ୍କାନରରେ କିପରି କିଛି ମିଳିଲା ନାହିଁ, ତାହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟାନ୍ୱିତ କରାଇଛି । ପ୍ରକୃତରେ ପୋଲିସ ଚଢ଼ାଉ ବେଳେ ଯଦି କିଛି ନିଷିଦ୍ଧ ସାମଗ୍ରୀ ଜବତ ହୋଇନପାରିଲା ତେବେ ଜେଲ୍ ସମ୍ପର୍କରେ ଶୁଣାଯାଉଥିବା ସମସ୍ତ ଆରୋପ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଗୁଜବ । ଅପରପକ୍ଷେ ଆଜିର ପୋଲିସ ଯାଞ୍ଚର ଉତ୍ତର ହିଁ ଜେଲ୍ ର ଅଦ୍ଭୁତପୂର୍ବ ପରିବର୍ତ୍ତନ ଓ ଜେଲ୍ ସଂସ୍କାରର ସୁଫଳ କୁହାଯାଇପାରେ । ଅପରପକ୍ଷେ ପୋଲିସ ଚଢ଼ାଉ ସମ୍ପର୍କରେ ପୂର୍ବାଭାଷ ପାଇ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ବେଆଇନ କାର୍ଯ୍ୟକୁ ଚଦର ଘୋଡାଇ ଦେଇଥିବା ମଧ୍ୟ ନିର୍ଦ୍ଧିଷ୍ଟ କେତେକ ମହଲରେ ଅଭିଯୋଗ ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ