
ଭୁବନେଶ୍ୱର, ୨୪ ମାର୍ଚ୍ଚ (ହି.ସ) - ପ୍ରତି ବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ପ୍ୟାରୀମୋହନ ଏକାଡେମୀ ପଡିଆ ଠାରେ ଓଡିଶା ଭେଟରାନ୍ ସ୍ପୋର୍ଟସ ପର୍ସନ ଆସୋସିଏସନ୍ ପକ୍ଷରୁ ଆଜି ମଙ୍ଗଳବାର ଠାରୁ ୧୩ ତମ ବସନ୍ତ ଦାସ ସ୍ମାରକୀ ସିନିୟର୍ ଏବଂ ୨୫ ତମ ଡାକ୍ତର ଭଗବାନ୍ ଦାସ ଜୁନିୟର ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସିନିୟର୍ ବିଭାଗରେ ୧୩ ଟି ଦଳ ଏବଂ ଜୁନିୟର ବିଭାଗରେ ୧୩ ଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଆଜି ପ୍ରଥମ ଉଦ୍ଘାଟନ ଦିବସରେ ସିନିୟର୍ ବିଭାଗରେ ତୁଳସୀପୁର ସ୍ଥିତ ରଘୁନାଥଜୀଉ ବିଦ୍ୟାପୀଠ ନିଉ ଷ୍ଟୁଆର୍ଟ ସ୍କୁଲ କୁ ଭେଟିଛନ୍ତି। ଏହି ପ୍ରତିଯୋଗିତାରେ ନିଉ ଷ୍ଟୁଆର୍ଟ ସ୍କୁଲ ରଘୁନାଥ ଜିଉ ସ୍କୁଲ୍ କୁ ଏକ ସୁନ ଗୋଲ ରେ ପରାସ୍ତ କରିଛନ୍ତି। ନିଉ ଷ୍ଟୁଆର୍ଟ ସ୍କୁଲ ର ସାଜିବ ଅଲି ବିଜୟ ସୂଚକ ଗୋଲ ଟି ସ୍କର୍ କରି ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇଥିଲେ। ତାଙ୍କୁ ଏକ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା।ଓଡ଼ିଶା ଫୁଟବଲ୍ ସଂଘର ଉପ ସଭାପତି ତଥା ବରିଷ୍ଠ ପ୍ରାକ୍ତନ ଫୁଟବଲ୍ ଖେଳାଳି ଭକ୍ତ ବଲ୍ଲଭ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ୧୩ ତମ ବସନ୍ତ ଦାସ ସ୍ମାରକୀ ସିନିୟର୍ ଏବଂ ୨୫ ତମ ଡାକ୍ତର ଭଗବାନ୍ ଦାସ ଜୁନିୟର ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କଲେ ବୋଲି ଘୋଷଣା କରିଥିଲେ। ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମୀର ପରିଜା ଓ କ୍ଷିତିଶ ଚନ୍ଦ୍ର ପାତ୍ର ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଥିଲେ।ଓଡ଼ିଶା ଭେଟରାନ୍ ସ୍ପୋର୍ଟସ ପର୍ସନ ଆସୋସିଏସନ୍ ର ଉପ ସଭାପତି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ସଂଘର ସାଧାରଣ ସଂପାଦକ ଶ୍ରୀ ଶ୍ରଦ୍ଧାନନ୍ଦ ଦାସ ସ୍ୱାଗତ ଭାଷଣ ଦେଇ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ଏପ୍ରିଲ ଏକ ତାରିଖ ସ୍ୱତନ୍ତ୍ର ଉତ୍କଳ ଦିବସ ରେ ଉଭୟ ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା