
ରେୱାଡ଼ି, ୨୮ ମାର୍ଚ୍ଚ (ହି.ସ.)- ରେୱାଡ଼ିର
ଫିଦେଡ଼ୀସ୍ଥିତ ନୂଆ ଏବଂ ହାଇଟେକ ଜିଲ୍ଲା କାରାଗାରରୁ ଦୁଇଜଣ ବନ୍ଦୀ ଫେରାର ହୋଇଯାଇଛନ୍ତି । ଏହାକୁ
ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ଏହି ଦୁଇଜଣ ବନ୍ଦୀ ଉତ୍ତର ପ୍ରଦେଶର
ବାସିନ୍ଦା ଓ ସେମାନଙ୍କ ଉପରେ ଅନଲାଇନ୍ ଠକେଇ (ସାଇବର ଠକେଇ) ଅଭିଯୋଗ ରହିଛି।
ଏହି ସମ୍ପର୍କରେ କାରାଗାର
କର୍ମଚାରୀ ମୁସ୍ତାକ ଆହମଦଙ୍କ ପକ୍ଷରୁ ସଦର ଥାନାରେ ଅଭିଯୋଗ ଦାଖଲ କରାଯାଇଛି। ଅଭିଯୋଗ ଅନୁସାରେ, ୨୭ ମାର୍ଚ୍ଚ ସନ୍ଧ୍ୟାରେ ବନ୍ଦୀମାନଙ୍କ ଗଣନା କରାଯାଇଥିଲା। ଗଣନା
ସମାପ୍ତ ହେବା ପରେ ଦୁଇଜଣ ବନ୍ଦୀ ଗାୟବ ଥିବା ଚିହ୍ନଟ ହୋଇଥିଲେ। ତଦନ୍ତ କରିବା ପରେ ସେମାନଙ୍କ
ପରିଚୟ ଉତ୍ତର ପ୍ରଦେଶର ରାମପୁରାର ବାସିନ୍ଦା ୨୨ ବର୍ଷୀୟ ଫୈଜାନ ଏବଂ ଇଟାୱାର ବାସିନ୍ଦା ୨୧
ବର୍ଷୀୟ ଜାହିଦ ଭାବେ ହୋଇଥିଲା।
କାରାଗାର କର୍ମଚାରୀ
ମୁସ୍ତାକଙ୍କ ଅନୁସାରେ, ଦୁଇଜଣ ବନ୍ଦୀକୁ ଦ୍ୱିପ୍ରହର
ପ୍ରାୟ ୧:୩୦ ପର୍ଯ୍ୟନ୍ତ କାରାଗାର ପରିସରରେ ଦେଖାଯାଇଥିଲା। ତାପରେ ସେମାନେ ହଠାତ୍ ଗାଏବ
ହୋଇଯାଇଥିଲେ। କାରାଗାର ପ୍ରଶାସନ ପକ୍ଷରୁ ଚାରିପାଖରେ ସେମାନଙ୍କୁ ଖୋଜାଯାଇଥିଲା। ବିଳମ୍ବିତ ରାତି
ପର୍ଯ୍ୟନ୍ତ କୌଣସି ସୂତ୍ର ମିଳିନଥିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା। ସଦର ଥାନା ଅଭିଯୋଗ
ଆଧାରରେ ମାମଲା ରୁଜୁ କରିଛି।
ସଦର ଥାନା ପ୍ରଭାରୀ
ରାଜେନ୍ଦ୍ର କୁମାର କହିଛନ୍ତି ଯେ ପଳାତକ ବନ୍ଦୀମାନଙ୍କୁ ଧରିବା ପାଇଁ ତିନୋଟି ବିଶେଷ ଦଳ ଗଠନ
କରାଯାଇଛି। ଏଥିରେ ସଦର ଥାନା ପୋଲିସ ସହିତ ରେୱାଡ଼ୀ ଏବଂ ଧାରୁହେଡା ସିଆଇଏ ଦଳ ସମ୍ମିଳିତ
ଅଛନ୍ତି। ଉଲ୍ଲେଖନୀୟ ଯେ ରେୱାଡ଼ୀର ଏହି କାରାଗାରଟି ରାଜ୍ୟର ହାଇଟେକ କାରାଗାର ମଧ୍ୟରେ ଗଣନୀୟ।
ଏହାର ସମ୍ପ୍ରତି ଉଦ୍ଘାଟନ ହୋଇଥିଲା ଏବଂ ସେତେବେଳେ ଏଠାରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା
ଥିବା ଦାବି କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା