
ନୂଆଦିଲ୍ଲୀ, ୨୯ ମାର୍ଚ୍ଚ (ହି.ସ.)।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଓ ବିଶ୍ୱସ୍ତରରେ ଚାଲୁଥିବା ସଂଘର୍ଷ ଏବଂ ଉର୍ଜା ସଂକଟ
ନେଇ ଚିନ୍ତା ବ୍ୟକ୍ତ କରି ରବିବାର ‘ମନ କି ବାତ’ କାର୍ଯ୍ୟକ୍ରମରୁ ପୁଣିଥରେ ଦେଶବାସୀଙ୍କୁ ଗୁଜବରେ
ଧ୍ୟାନ ନ ଦେବା ଓ ଏକତା ରଖିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ଆନ୍ତର୍ଜାତୀୟ ସଂଘର୍ଷର
କାରଣରୁ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ପ୍ରଭାବିତ ହେଉଛି। ଏପରି ସମୟରେ ଗୁଜବରୁ ଦୂରେଇ ରହି
ସରକାରୀ ସୂଚନାରେ ଭରସା କରିବା ଆବଶ୍ୟକ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ
‘ମନ କି ବାତ’ର ୧୩୨ତମ ଏପିସୋଡରେ ଏହି କଥା କହିଛନ୍ତି। ସେ ଉପସାଗରୀୟ ଦେଶଗୁଡ଼ିକରେ ଚାଲୁଥିବା
ସଂଘର୍ଷ ମଧ୍ୟରେ ସେଠାରେ ରହୁଥିବା ଭାରତୀୟମାନଙ୍କୁ ଯେ ସହଯୋଗ ମିଳୁଛି, ସେଥିପାଇଁ କୃତଜ୍ଞତା
ଜଣାଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱର ଉର୍ଜା ଆବଶ୍ୟକତା ଏହି ଅଞ୍ଚଳ ସହ ଜଡିତ ଥିବାରୁ
ବର୍ତ୍ତମାନର ସଂଘର୍ଷର ପ୍ରଭାବ ପଡ଼ିଛି। ଭାରତ ନିଜର ଆନ୍ତର୍ଜାତୀୟ ସମ୍ପର୍କ ଦ୍ୱାରା ଏହି
ପରିସ୍ଥିତିକୁ ସମ୍ଭାଳୁଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ଏହି ବିଷୟରେ ରାଜନୀତି କରିବାରୁ ବଞ୍ଚିବାକୁ
ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ୧୪୦ କୋଟି ଲୋକଙ୍କ ସହ ସମ୍ବନ୍ଧିତ ଏକ ବିଷୟ ଏବଂ
ଏଥିରେ ସ୍ୱାର୍ଥପୂର୍ଣ୍ଣ ରାଜନୀତିର କୌଣସି ସ୍ଥାନ ନାହିଁ। ସେ ଗୁଜବ ପ୍ରସାର କରୁଥିବା
ଲୋକମାନଙ୍କୁ ଦେଶ ପାଇଁ କ୍ଷତିକାରକ ବୋଲି କହି ନାଗରିକମାନଙ୍କୁ କେବଳ ସରକାରୀ ସୂଚନାରେ ଭରସା
କରିବାକୁ ଆହ୍ୱାନ କରିଛନ୍ତି। ପଶ୍ଚିମ ଏସିଆରେ ଚାଲୁଥିବା ସଂଘର୍ଷ ଫଳରେ ବିଶ୍ୱ ଉର୍ଜା ଯୋଗାଣ
ପ୍ରଭାବିତ ହେଉଥିବାରୁ ଅନେକ ଦେଶରେ ଇନ୍ଧନ ସଂକଟ ସୃଷ୍ଟି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା