
ନନ୍ଦୀଗ୍ରାମ/ପଶ୍ଚିମବଙ୍ଗ/ଭୁବନେଶ୍ୱର, ୨୯ ମାର୍ଚ୍ଚ (ହି.ସ.)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଗସ୍ତ କରି ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବା ସହ ପ୍ରଚାର କରିଛନ୍ତି ।
ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ନନ୍ଦିଗ୍ରାମ କେବଳ ଏକ ଭୌଗୋଳିକ କ୍ଷେତ୍ର ନୁହେଁ, ବରଂ ଏହା ଏକ ପରିବର୍ତନର ଚେତନାର ପ୍ରତୀକ । ବିଗତ ପ୍ରାୟ ୨୦ ବର୍ଷ ଧରି ନନ୍ଦୀଗ୍ରାମ ସହ ତାଙ୍କର ଏକ ଗଭୀର ଆଧ୍ୟାତ୍ମିକ ଓ ବ୍ୟକ୍ତିଗତ ସମ୍ପର୍କ ରହିଆସିଛି । ନନ୍ଦୀଗ୍ରାମର ମାଟି ବଙ୍ଗୀୟ ଅସ୍ମିତା ଏବଂ ସାହସର ପରିଚୟ ଦେଇଛି, ଯାହା ସମଗ୍ର ପଶ୍ଚିମବଙ୍ଗର ରାଜନୀତିକୁ ଦିଗଦର୍ଶନ ଦେଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପଶ୍ଚିମବଙ୍ଗର ଜନସାଧାରଣ ବର୍ତମାନର ଅନ୍ୟାୟ, ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତିରେ ଅତିଷ୍ଠ ହୋଇପଡ଼ିଛନ୍ତି । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରର ଜନବିରୋଧୀ ନୀତିରୁ ମୁକ୍ତି ପାଇବା ପାଇଁ ବଙ୍ଗଳାର ପ୍ରତିଟି ନାଗରିକ ଏବେ ସଂକଳ୍ପବଦ୍ଧ । ସେଥିପାଇଁ ଆଜି ସାରା ରାଜ୍ୟରେ ପରିବର୍ତନ କେବଳ ଏକ ସ୍ଲୋଗାନ ହୋଇ ରହିନାହିଁ, ବରଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ।
ନନ୍ଦୀଗ୍ରାମରେ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଥିବା ଅଦମ୍ୟ ଉତ୍ସାହ, ଅନୁଶାସନ ଏବଂ ସମର୍ପଣ ଭାବକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଏଠାକାର ଜନତାଙ୍କ ଅକୁଣ୍ଠ ସମର୍ଥନ ପୁଣି ଥରେ ପଦ୍ମ ଫୁଟାଇବା ପାଇଁ ସ୍ପଷ୍ଟ ସଙ୍କେତ ଦେଉଛି । ପଶ୍ଚିମବଙ୍ଗରେ ପରିବର୍ତନ ହେବ ଏବଂ ଏକ ନୂତନ ବିକଶିତ ବଙ୍ଗଳାର ନିର୍ମାଣ ହେବାର ସମୟ ଉପନୀତ ହୋଇଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ଏହି ପ୍ରଚାର କାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଅନ୍ନ ପ୍ରସାଦ ବିତରଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ