
ମନ କି ବାତ୍’ରେ ଓଡ଼ିଶାର ନାରୀ ଶକ୍ତି ଓ ଯୁବ ସାମର୍ଥ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୯ ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁର ଓ କେନ୍ଦ୍ରାପଡ଼ାର ଦୁଇ ପ୍ରତିଭାଙ୍କ ସଫଳତାକୁ ସମଗ୍ର ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ଗର୍ବର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ‘କେଜ୍ କଲ୍ଚର’ ମାଧ୍ୟମରେ ମାଛ ଚାଷ କରି ସଫଳତା ପାଇଥିବା ଶ୍ରୀମତୀ ସୁଜାତା ଭୂୟାଁଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଶ୍ରୀମତୀ ଭୂୟାଁ ଏହି ବ୍ୟବସାୟ କରି ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟ ମହିଳାମାନଙ୍କ ପାଇଁ ଏକ ନୂତନ ଦିଗ୍ଦର୍ଶନ ସାଜିଛନ୍ତି । ଗୃହିଣୀରୁ ଜଣେ ସଫଳ ଉଦ୍ୟୋଗୀ ଭାବେ ତାଙ୍କର ଏହି ଯାତ୍ରା ନାରୀ ସମାଜକୁ ପ୍ରେରିତ କରିବ । ସେହିପରି ‘ମାଏ ଭାରତ ବଜେଟ୍ କ୍ୱେଷ୍ଟ ୨୦୨୬’ରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଯୁବ ପ୍ରତିଭା ଓମ ପ୍ରକାଶ ରଥଙ୍କ ସଫଳତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ଦେଶର ନୀତି ନିର୍ଦ୍ଧାରଣରେ ଯୁବପିଢ଼ିଙ୍କୁ ସାମିଲ କରିବା ପାଇଁ ‘ମାଏ ଭାରତ ବଜେଟ୍ କ୍ୱେଷ୍ଟ’ ଏକ ଅନନ୍ୟ ପ୍ରୟାସ । ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବା ତଥା ମହିଳା ନେତୃତ୍ୱାଧୀନ ବିକାଶକୁ ଆଗେଇ ନେବାରେ ଓମ ପ୍ରକାଶ ରଥଙ୍କ ଭଳି ଯୁବପିଢ଼ିଙ୍କ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କର ପ୍ରତ୍ୟେକଟି ପ୍ରୟାସ ଦେଶର ଭବିଷ୍ୟତ ପାଇଁ ନୂତନ ମାର୍ଗ ପ୍ରସ୍ତୁତ କରିବ ।
ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ବେଙ୍ଗାଲୁରୁର ‘ପ୍ରୟୋଗ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ରିସର୍ଚ୍ଚ’ର କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ‘ଅନ୍ୱେଷଣ’ ମାଧ୍ୟମରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ଏବଂ ଗବେଷଣାଭିତିକ ଶିକ୍ଷାଦାନ ‘ବିକଶିତ ଭାରତ’ ଗଠନ ଦିଗରେ ଏକ ବଡ଼ ପଦକ୍ଷେପ । ଜାତୀୟ ଶିକ୍ଷା ନୀତି ଅଧୀନରେ ଖେଳକୁ ଶିକ୍ଷା ସହ ସମାନ ଗୁରୁତ୍ୱ ଦିଆଯାଉଛି। ‘ଅସ୍ମିତା ଆଥଲେଟିକ୍ସ ଲିଗ୍’ରେ ୨ ଲକ୍ଷରୁ ଅଧିକ ମହିଳାଙ୍କ ଅଂଶଗ୍ରହଣ ଏବଂ ଗୁଲମର୍ଗର ‘ଖେଲୋ ଇଣ୍ଡିଆ ୱିଂଟର ଗେମ୍ସ’ ଦେଶର କ୍ରୀଡ଼ା ଜଗତରେ ଏକ ନୂଆ ଯୁଗର ସୂଚନା ଦେଉଛି । “ଯୋ ଖେଲେଗା, ୱୋ ଖିଲେଗା” ମନ୍ତ୍ରରେ ଆଜି ଭାରତର ଯୁବଶକ୍ତି ଆଗକୁ ବଢୁଛନ୍ତି ବୋଲି ଶ୍ରୀ ପ୍ରଧାନ ନିଜ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା