
ଝାରସୁଗୁଡ଼ା, ୧୨ ଏପ୍ରିଲ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡି ଏମ ଏଫ୍ ଅଡିଟରିଅମ୍ କକ୍ଷଠାରେ ଅଣ-କ୍ୟାଡର ପ୍ରସିକ୍ୟୁଟରମାନଙ୍କ ପାଇଁ ଚାଲିଥିବା ଦୁଇ ଦିନିଆ 'ଇଣ୍ଡକସନ୍ ଏବଂ ରିଫ୍ରେସ'ର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ୍ ପ୍ରଶାନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ବ୍ରଜ ବନ୍ଧୁ ଭୋଇ, ଓଡ଼ିଶା ସରକାରଙ୍କ ପ୍ରସିକ୍ୟୁସନ ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ କାନୁନଗୋ ଆଭାସୀ ମାଧ୍ୟମରେ ଭୁବନେଶ୍ୱରରୁ ଯୋଗଦେଇ ପ୍ରତିଭାଗୀମାନଙ୍କୁ ଉତ୍ସାହିତ କରିବା ସହ ନ୍ୟାୟିକ ବ୍ୟବସ୍ଥାରେ ସ୍ୱଚ୍ଛତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏହି ସମଗ୍ର ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଝାରସୁଗୁଡ଼ା ପ୍ରସିକ୍ୟୁସନ ବିଭାଗର ଡେପୁଟି ଡାଇରେକ୍ଟର ବୃନ୍ଦାବନ ନାୟକ ଏବଂ ଆସିଷ୍ଟାଂଟ ଡାଇରେକ୍ଟର ଉଷାରାଣୀ ମାଝୀ ସୁଚାରୁ ରୂପେ ସଂଯୋଜନା ଓ ପରିଚାଳନା କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଆଇନର ସଠିକ୍ କାର୍ଯ୍ୟକାରିତା ପାଇଁ ପ୍ରସିକ୍ୟୁଟରମାନେ ନୂତନ ନିୟମାବଳୀ ସହ ପରିଚିତ ହେବା ଏକାନ୍ତ ଆବଶ୍ୟକ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶିକ୍ଷାର୍ଥୀ ପ୍ରସିକ୍ୟୁଟରମାନଙ୍କୁ ନୂତନ ଅପରାଧିକ ଆଇନ ପୁସ୍ତିକା ବଂଟନ କରିଥିଲେ।
ପ୍ରଶିକ୍ଷଣର ଦ୍ୱିତୀୟ ଦିବସର କାର୍ଯ୍ୟସୂଚୀ ଅନୁଯାୟୀ ଆଡଭୋକେଟ ରଞ୍ଜନ କୁମାର ସାହୁ ଜଣେ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ କୋର୍ଟ ରୁମ୍ ଆଡଭୋକେସି କୌଶଳ ଓ ନୂତନ ଅପରାଧିକ ଆଇନ ବ୍ୟବସ୍ଥାରେ ବିଚାର ପରିଚାଳନା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିସହ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଅଧୀନରେ ପ୍ରସିକ୍ୟୁଟରମାନଙ୍କ ଭୂମିକା ଉପରେ ସିଭିଲ୍ ଜଜ୍ (ସିନିୟର ଡିଭିଜନ) ଡ. ସନ୍ଧ୍ୟା ରଥ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିସହ କୋର୍ଟ ରୁମ୍ ଆଡଭୋକେସି କୌଶଳ, ବୈଜ୍ଞାନିକ ପ୍ରମାଣର ଗୁରୁତ୍ୱ ଏବଂ ନୂତନ ଆଇନରେ ଜାମିନ ଓ ପୀଡ଼ିତଙ୍କ ଅଧିକାର ବିଷୟରେ ବିଷଦ ଆଲୋଚନା କରାଯାଇଥିଲା। ବିଶେଷ କରି ସମ୍ବଲପୁର ଡିଏଫ୍ଏସଏଲ ର ଅଧିକାରୀ ବିଜୟ ଲକ୍ଷ୍ମୀ ତିର୍କୀ ଏବଂ ପୂର୍ବତନ ଡେପୁଟି ଡାଇରେକ୍ଟର ରାଜକୁମାର ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ପ୍ରତିଭାଗୀମାନଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ସେମାନଙ୍କର ପ୍ରଶ୍ନର ଉତର ଦିଆଯାଇଥିଲା। ଏଥିସହ ଜିଲ୍ଲାର କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ଏବଂ କ୍ୟାଡର ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ମାନେ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଶିବିର ଦ୍ୱାରା ଝାରସୁଗୁଡ଼ା ଜିଲ୍ଲାର ଅଣ-କ୍ୟାଡର ପ୍ରସିକ୍ୟୁଟରମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ସହ ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ