
କେନ୍ଦ୍ରାପଡ଼ା, ୧୨ ଏପ୍ରିଲ୍(ହି.ସ.) – ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ “ଓଡିଶା କ୍ରୀଡ଼ା ମହାକୁମ୍ଭ – ସିଏମ୍ ଟ୍ରଫି ୨୦୨୬”ର ପ୍ରଥମ ସଂସ୍କରଣ ଅବସରରେ ଜିଲ୍ଲା ସ୍ତରୀୟ ୧୪ ବର୍ଷରୁ କମ୍ ବର୍ଗର ଆନ୍ତଃକ୍ଳବ ଓ ଅନ୍ତଃଜିଲ୍ଲା ଭଳିବଲ ଓ କବାଡି ପ୍ରତିଯୋଗିତା ଆଜି ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ ଏବଂ ଯୁବ କ୍ରୀଡ଼ାଳୁମାନଙ୍କୁ କ୍ରୀଡ଼ା ମାଧ୍ୟମରେ ନିଜ କୌଶଳ ବିକାଶ କରିବା ସହ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉନ୍ନତିରେ ଗୁରୁତ୍ୱ ଦେବାକୁ ପ୍ରେରିତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଚେତନା ବିକାଶରେ ଏପରି ପ୍ରତିଯୋଗିତାର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଏବଂ ଜିଲ୍ଲା ଆଥଲେଟିକ ସଂଘର ସମ୍ପାଦକ ସୟଦ ଆକମଲ ଅଲ୍ଲୀ ଯୋଗ ଦେଇଥିଲେ। ଆଜି ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା କାଲି ଉଦଯାପିତ ହେବ। ପ୍ରତିଯୋଗିତା ପରିଚାଳନାରେ ପିଇଟିମାନେ ଓ ବିଭିନ୍ନ କ୍ରୀଡ଼ା ସଂଘର କର୍ମକର୍ତାମାନେ ସକ୍ରିୟ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି