
ସମ୍ବଲପୁର, ୧୫ ଏପ୍ରିଲ୍(ହି.ସ.) – ଆଜି ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ସମ୍ବଲପୁରର ବହୁ ପ୍ରତୀକ୍ଷିତ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟର ଶୁଭ ଉଦଘାଟନ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ତତ୍ୱାବଧାନରେ ନିର୍ମିତ ଏହି ସଂଗ୍ରହାଳୟ ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ ଗାଥା ଏବଂ ସମ୍ବଲପୁରର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପ୍ରଦର୍ଶିତ କରୁଛି। ସଂଗ୍ରହାଳୟରେ ସଂଗ୍ରାମୀଙ୍କ ବ୍ୟବହୃତ ସାମଗ୍ରୀ, ବୀରତ୍ୱ ଗାଥା, ବିରଳ ଆଲୋକଚିତ୍ର ଏବଂ ଐତିହାସିକ ଦଲିଲ ସମ୍ବଲପୁରର ସମୃଦ୍ଧ ସାଂସ୍କୃତିକ ପରମ୍ପରାଗୁଡ଼ିକୁ ସ୍ଥାନ ଦିଆଯାଇଛି, ଯାହା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ଏହି ସଂଗ୍ରହାଳୟ ସମ୍ବଲପୁରର ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିବା ସହ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କରିବ। ପ୍ରାୟ ୨ ହଜାର ବର୍ଷର ପ୍ରାଚୀନ ଇତିହାସକୁ ବହନ କରୁଥିବା ଏହି ଅଂଚଳର କଳା, ସ୍ଥାପତ୍ୟ ଏବଂ ଜୀବନଶୈଳୀକୁ ଏହି ସଂଗ୍ରହାଳୟ ମାଧ୍ୟମରେ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶନ କରିବାର ମାଧ୍ୟମ ସାଜିବ ଏହି ଅତ୍ୟାଧୁନିକ ସଂଗ୍ରହାଳୟ। ସଂଗ୍ରହାଳୟରେ ପଶ୍ଚିମ ଓଡ଼ିଶାର ଅନେକ ଦୁର୍ଲଭ ସାମଗ୍ରୀ ଦେଖିବାକୁ ମିଳିବ। ସମ୍ବଲପୁରୀ ବସ୍ତ୍ର ତିଆରି ପାଇଁ ବ୍ୟବହୃତ ହେଉଥିବା ପାରମ୍ପରିକ ହସ୍ତତନ୍ତ ସରଞ୍ଜାମ, ଅଳଙ୍କାର, ପ୍ରାଚୀନ ବାଦ୍ୟଯନ୍ତ୍ର ଏବଂ ଘରକରଣା ସାମଗ୍ରୀ ଏଠାରେ ସ୍ଥାନ ପାଇବ। କେବଳ ସେତିକି ନୁହେଁ, ଏ ଅଂଚଳର ଲୁପ୍ତପ୍ରାୟ ଖେଳନା ଏବଂ ପୁରାତନ ବସ୍ତ୍ର ଡିଜାଇନ୍ ସହିତ କତ୍ରିଆ, ବନ୍ଦ୍ରିଆ ଆଦି ଗହଣାକୁ ମଧ୍ୟ ଏଠାରେ ସଂରକ୍ଷିତ ରଖାଯିବ। ସ୍ଥାନୀୟ ଖାଦ୍ୟପେୟର ବିବିଧତା ଯଥା କରଡ଼ି ଭଜା ଭଜା, ହେଣ୍ଡୁଆ ପଖରା, ସରସତିଆ, ଆମ୍ବିଳ, ଲେଥା, ଗୁଳିଆଗୁଳି ଏବଂ ଚାଉଳ ବରା ଭଳି ସ୍ୱାଦିଷ୍ଟ ପାରମ୍ପରିକ ବ୍ୟଞ୍ଜନର ରୋଷେଇ ପ୍ରଣାଳୀ ଓ ଇତିହାସ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ସମ୍ବଲପୁରର ପ୍ରସିଦ୍ଧ ପର୍ବପର୍ବାଣୀ ଯଥା ନୂଆଁଖାଇ, ଗୁଡ଼ିଖାଇ, କରମସାନୀ, ପୁଓ ଜିଉରିଆ, ଭାଇ ଜିଉରିଆ ଆଦି ସହ ବଏଲଯାତ୍ରା, ଶୀତଳଷଷ୍ଠୀ ଓ ଧନୁଯାତ୍ରା ଭଳି ପ୍ରସିଦ୍ଧ ଯାତ୍ରା ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ତଥା ବୀର ସୁରେନ୍ଦ୍ର ସାଏ, ଛବିଳ ସାଏ, ଉଦନ୍ତ ସାଏ, ମଧୁ ଗଡ଼ିତିଆଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଓ ସେମାନଙ୍କ ବୀରତ୍ୱ ଗାଥା ଉପରେ ଆଧାରିତ ପ୍ରଦର୍ଶନୀ ସଂଗ୍ରହାଳୟର ମୁଖ୍ୟ ଆକର୍ଷଣ ହେବ। ସଂଗ୍ରହାଳୟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହେବା ସହ ଆଧୁନିକ ଆଲୋକୀକରଣ ବ୍ୟବସ୍ଥାରେ ସଜ୍ଜିତ କରାଯିବ।
ଏହି ପ୍ରକଳ୍ପ ସମ୍ବଲପୁରର ପ୍ରାଚୀନ ଗରିମା ପୁଣି ଥରେ ବିଶ୍ୱ ଦରବାରରେ ନିଜର ଚମକ ବିଛୁରିତ କରିବ ଏବଂ ଇତିହାସର ଏକ ଜ୍ୱଳନ୍ତ ସାକ୍ଷୀ ଭାବେ ଏହି ସଂଗ୍ରହାଳୟଟି ପୁଣିଥରେ ଝଲସି ଉଠିବ ବୋଲି ଆଶା କରାଯାଉଛି।ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରାୟ ୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ