
ଚମ୍ପୁଆ, ୧୫ ଏପ୍ରିଲ୍ (ହି.ସ.) - ଚମ୍ପୁଆ ବ୍ଲକ କରଞ୍ଜିଆ ପଂଚାୟତ ଅନ୍ତର୍ଗତ କରଞ୍ଜିଆ ବସଷ୍ଟାଣ୍ଡ ସନ୍ନିକଟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପଛପଟେ ଓଡିଶା ଗ୍ରାମୀଣ ବ୍ୟାଙ୍କର ନୂତନ କାର୍ଯ୍ୟାଳୟ ଗୃହ ସ୍ଥାନାନ୍ତରିତ ହୋଇ ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ଗ୍ରାମୀଣ ବ୍ୟାଙ୍କର ଆଂଚଳିକ ପରିଚାଳକ ସତ୍ୟବ୍ରତ ନନ୍ଦ, କରଞ୍ଜିଆ ସରପଂଚ ସୁପ୍ରିୟା ମୁଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଜନାର୍ଦ୍ଦନ ପ୍ରଧାନ ପ୍ରମୁଖ ଯୋଗଦେଇ ନୂତନ କାର୍ଯ୍ୟାଳୟ ଗୃହକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ କରଞ୍ଜିଆ ଓଡିଶା ଗ୍ରାମୀଣ ବ୍ୟାଙ୍କର ଶାଖା ପରିଚାଳକ ରାକେଶ କୁମାର ମୁର୍ମୁ ପରିଚାଳନା କରିଥିଲେ । ଅତିଥିମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମୁଦ୍ରା ସ୍କିମ, ସୂର୍ଯ୍ୟଘର ଯୋଜନା ସହିତ ଅଟଳ ପେନସନ ଯୋଜନା, ମହିଳା ସମୃଦ୍ଧି ଯୋଜନା ବିଷୟରେ ସଚେତନ ହୋଇ ତା'ର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ । ସଠିକ ସମୟରେ ଋଣ ଶୁଝି ସରକାରଙ୍କ ସବସିଡ଼ିର ଫାଇଦା ନେବାକୁ ମୁଖ୍ୟଅତିଥି ସ୍ମୃତି ରଞ୍ଜନ ସାହୁ ଅବଗତ କରାଇଥିଲେ । ଏହି ଅବସରରେ କରଞ୍ଜିଆର ମାତୃଶକ୍ତି ସ୍ୱୟଂ ସହାୟକ ଗୋଷ୍ଠି ଓ କାଟୁଳିକନାର ଶକ୍ତି ମା 'ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ୧୦ ଲକ୍ଷ ଟଙ୍କାର ଲୋନ ସାଙ୍କସନର ପ୍ରମାଣ ପତ୍ର ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ କରଞ୍ଜିଆ ଗ୍ରାମୀଣ ବ୍ୟାଙ୍କର ସି.ଏସ.ଏ ଉର୍ଜ୍ଜଳ ସେଠୀ, ବାଦଲ, ଜୟସିଂହ ଆଦି ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta