
ଗଞ୍ଜାମ, ୧୫ ଏପ୍ରିଲ୍(ହି.ସ.) – ଗଞ୍ଜାମ ଜିଲ୍ଲାର ଗଣପର୍ବ ଦଣ୍ଡଯାତ୍ରା ଆଜି ଶେଷ ହୋଇଛି। ପୁଣି ଆରବର୍ଷକୁ ଅପେକ୍ଷା। ଆଜି ସକାଳୁ ଦଣ୍ଡୁଆମାନେ ଶିବ ଓ କାଳିଙ୍କ ପୂଜା ଅର୍ଚ୍ଚନା କରି ଶିବଙ୍କ ପ୍ରତୀକ ନାଗ ଓ କାଳୀଙ୍କ ପ୍ରତୀକ ପ୍ରଭାଙ୍କୁ ମନ୍ଦିରକୁ ନେଇ ଅବସ୍ଥାପିତ କରିବା ପରେ କ୍ଷୌରକର୍ମ ସ୍ନାନ ଓ ଶରୀର ଶୁଦ୍ଧିକରଣ କରି ବଳି ପଡ଼ିଥିବା ଛାଗ ମାଂସ ଓ ଅନ୍ନପ୍ରସାଦ ସେବନ କରି ଋଷି ଜୀବନ ପ୍ରତ୍ୟାହୃତ କରି ସ୍ୱଗୃହକୁ ପ୍ରତ୍ୟାବର୍ତନ କରିଛନ୍ତି। ଦଣ୍ଡଯାତ୍ରା ସମାପନ ପରେ ଗଞ୍ଜାମ ଜିଲ୍ଲାରେ ଶୂନସାନ ପରିଲକ୍ଷିତ ହୋଇପଡ଼ିଛି। ଆଉଦିନ କେଇଟାରେ ଦଣ୍ଡଯାତ୍ରାରେ ଅଂଶଗ୍ରହଣ କରିବାକୁ ଆସିଥିବା ଦାଦନ ଶ୍ରମିକ ପୁଣି ନିଜ କର୍ମସ୍ଥଳୀ ସୁରତ କୋଲିଆରୀ ଓ କଲିକତା ଅଭିମୁଖେ ହଜାର ହଜାର ସଂଖ୍ୟାରେ ପ୍ରତ୍ୟାବର୍ତନ କରିବେ।
.......................................
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ