ସମସ୍ତ ପୌରସଂସ୍ଥାରେ ଓସୱାସ କାର୍ଯ୍ୟକ୍ଷମ
ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ରାଜ୍ୟର ସମସ୍ତ ୧୧୫ଟି ପୌରସଂସ୍ଥାରେ ‘ଓଡ଼ିଶା ସେକ୍ରେଟେରିଏଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍’ (ଓସୱାସ) ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି। ଏହି ପଦକ୍ଷେପ ପାରମ୍ପରିକ କାଗଜପତ୍ର ଭିତିକ ପ୍ରଣାଳୀକୁ ପରିବର୍ତନ କରି ଏକ ସମନ୍ୱିତ, ଦକ୍ଷ ଓ ସ୍ୱଚ୍ଛ ଡିଜିଟାଲ କାର
ସମସ୍ତ ପୌରସଂସ୍ଥାରେ ଓସୱାସ କାର୍ଯ୍ୟକ୍ଷମ


ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ରାଜ୍ୟର ସମସ୍ତ ୧୧୫ଟି ପୌରସଂସ୍ଥାରେ ‘ଓଡ଼ିଶା ସେକ୍ରେଟେରିଏଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍’ (ଓସୱାସ) ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି। ଏହି ପଦକ୍ଷେପ ପାରମ୍ପରିକ କାଗଜପତ୍ର ଭିତିକ ପ୍ରଣାଳୀକୁ ପରିବର୍ତନ କରି ଏକ ସମନ୍ୱିତ, ଦକ୍ଷ ଓ ସ୍ୱଚ୍ଛ ଡିଜିଟାଲ କାର୍ଯ୍ୟଧାରା ସ୍ଥାପନ କରିଛି।

ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌରପାଳିକା ଏବଂ ୬୨ଟି ବିଜ୍ଞପ୍ତିତ ଅଂଚଳ ପରିଷଦରେ ଓସୱାସ ପ୍ଲାଟଫର୍ମ ଲାଗୁ ହୋଇଛି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଂଟର (ଓକାକ୍)ର ବୈଷୟିକ ସହଯୋଗ ଏବଂ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ଙ୍କ ସମର୍ଥନରେ ବିକଶିତ ଏହି ପ୍ଲାଟଫର୍ମ ସରକାରୀ ଫାଇଲ ପରିଚାଳନାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିଛି। ଏହା ମାଧ୍ୟମରେ ଫାଇଲ ଗତିବିଧିର ରିଅଲ-ଟାଇମ୍ ଟ୍ରାକିଂ, ଦ୍ରୁତ ନିଷ୍ପତି ଏବଂ ସମୟବଦ୍ଧ ସେବା ପ୍ରଦାନ ସମ୍ଭବ ହୋଇପାରିଛି।

ଏହି ସଂସ୍କାରର ଗୁରୁତ୍ୱ ଉଲ୍ଲେଖ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, “ଓସୱାସ ଆମ ସହରାଂଚଳ ପ୍ରଶାସନକୁ ଆଧୁନିକ ଏବଂ ଦକ୍ଷ କରିବାରେ ଏକ ମୁଖ୍ୟ ପଦକ୍ଷେପ। ଏହା ଦ୍ୱାରା ସ୍ୱଚ୍ଛତା, କ୍ଷିପ୍ରତା ଓ ଉତରଦାୟିତ୍ୱ ବଢ଼ିବା ସହ ନାଗରିକ ସେବାର ଗୁଣତ୍ୱ ଉନ୍ନତ ହେବ।”

ପୂର୍ବରୁ ପୌର ପ୍ରଶାସନରେ ମାନୁଆଲ ଫାଇଲ ପରିଚାଳନା ଓ ଅସମନ୍ୱିତ କାର୍ଯ୍ୟଧାରା ଦ୍ୱାରା ବିଳମ୍ବ ଓ ଅକ୍ଷମତା ଦେଖାଯାଉଥିଲା। ଓସୱାସ ଏହି ସମସ୍ୟାର ସମାଧାନ କରି ଏକ ମାନକ ପ୍ରଣାଳୀ, ଡିଜିଟାଲ ଅଡିଟ୍ ଟ୍ରେଲ୍ ଏବଂ ସ୍ୱୟଂଚାଳିତ କାର୍ଯ୍ୟଧାରାକୁ ପ୍ରଚଳିତ କରିଛି, ଯାହା ଶାସନରେ ଶୃଙ୍ଖଳା ଓ ସ୍ୱଚ୍ଛତା ଆଣିଛି।ଏହି ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଇଥିଲା—ପ୍ରଥମେ ପ୍ରକ୍ରିୟା ଅଧ୍ୟୟନ, ପରେ ସିଷ୍ଟମ ଡିଜାଇନ୍, କ୍ଷମତା ବୃଦ୍ଧି ତାଲିମ ଏବଂ ପାଇଲଟ୍ ପରୀକ୍ଷା। ଏହାପରେ ରାଜ୍ୟବ୍ୟାପୀ ରୋଲଆଉଟ୍ ମାଧ୍ୟମରେ ସମସ୍ତ ପୌରସଂସ୍ଥାରେ ସଫଳ ଭାବେ ଏହାକୁ ଲାଗୁ କରାଯାଇଛି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି, “ଓସୱାସ କେବଳ ଏକ ଆଇଟି ପ୍ଲାଟଫର୍ମ ନୁହେଁ, ଏହା ଏକ ବ୍ୟାପକ ପ୍ରଶାସନିକ ସଂସ୍କାର। ଏହା ରିଅଲ-ଟାଇମ୍ ମନିଟରିଂ ଓ ତଥ୍ୟଭିତିକ ନିଷ୍ପତିକୁ ସମ୍ଭବ କରି ସେବା ପ୍ରଦାନରେ ଗୁଣାତ୍ମକ ପରିବର୍ତନ ଆଣିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande