
ଝାରସୁଗୁଡ଼ା, ୧୬ ଏପ୍ରିଲ୍ (ହି.ସ.)- ଜିଲ୍ଲା ପ୍ରଶାସନ ଏବଂ ମିଶନ ଶକ୍ତିର ମିଳିତ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଅଞ୍ଚଳରେ ‘ନାରୀ ଶକ୍ତି ବନ୍ଦନା’ ତଥା ‘ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୫୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଛନ୍ତି। ଆଜି ସକାଳ ୯ଟା ସମୟରେ ବେହେରାମାଲ ଛକଠାରୁ ଏକ ବିଶାଳ ସଚେତନତା ରାଲି ବାହାରିଥିଲା। ଏହି ଶୋଭାଯାତ୍ରା ବେହେରାମାଲରୁ ବାହାରି ସହର ପରିକ୍ରମା କରିବା ସହ ଏମ.ସି.ଏଲ. ଅଡିଟୋରିୟମ ପର୍ଯ୍ୟନ୍ତ ଯାଇଥିଲା। ହାତରେ ସଚେତନତା ବାର୍ତ୍ତା ସମ୍ବଳିତ ପ୍ଲାକାର୍ଡ ଧରି ମହିଳାମାନେ ସମାଜରେ ସ୍ୱାସ୍ଥ୍ୟ ଓ ସ୍ୱାଧୀନତାର ବାର୍ତ୍ତା ପ୍ରସାର କରିଥିଲେ। ପରବର୍ତ୍ତୀ ସମୟରେ ଅଡିଟୋରିୟମ ପରିସରରେ ଏକ ସ୍ୱତନ୍ତ୍ର ସଚେତନତା ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମହିଳାଙ୍କ ଜୀବନଶୈଳୀରେ ସ୍ୱାସ୍ଥ୍ୟ, ପୋଷଣ ଏବଂ ପରିମଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା କିପରି ସେମାନଙ୍କ ପରିବାରର ଜୀବିକାକୁ ପ୍ରଭାବିତ କରେ, ସେ ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ । ଏଥିସହ ଏହି ‘ନାରୀ ଶକ୍ତି ବନ୍ଦନା’ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଇବା। ବିଶେଷ କରି ମାତୃ ଗର୍ଭରୁ ଶେଷ ସମୟ ପର୍ଯ୍ୟନ୍ତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଯେଉଁ ସୁରକ୍ଷା ଚକ୍ର ପ୍ରସ୍ତୁତ କରିଛନ୍ତି, ତା'ର ସୁଫଳ ଯେପରି ପ୍ରତିଟି ମହିଳାଙ୍କ ପାଖରେ ପହଞ୍ଚିପାରିବ, ସେ ନେଇ ଏକ ବ୍ୟାପକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ସାମାଜିକ ସୁରକ୍ଷା ସହିତ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ହିଁ ଏହି ଅଭିଯାନର ମୂଳ ଅଭିପ୍ରାୟ ବୋଲି କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ